ଶୁକ୍ରବାର ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ। ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ।

ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ବୈଠକରେ ଯୋଗଦେବେ। ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା କରାଯିବ। ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟଶୈଳୀ ପ୍ରଶଂସନୀୟ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଆଗୁଆ। ମାଓ ଦମନ, ମାଓ ପ୍ରଭାବିତ ଅଞ୍ଚଳର ଲୋକଙ୍କର ପ୍ରଶାସନ ଉପରେ ବିଶ୍ବାସ ସୃଷ୍ଟି କରିବାରେ ରାଜ୍ୟ ସରକାର ଭଲ କାମ କରିଛନ୍ତି। ପୋଲିସର ଆଧୁନିକୀକରଣ, ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଫଳରେ ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଆକ୍ରମଣ ମାମଲା ୩୦ ପ୍ରତିଶତ ହ୍ରାସ ପାଇଛି। ଗୁଳି ବିନିମୟ ଓ ମୁହାଁମୁହିଁ ଘଟଣା ୩୨ ପ୍ରତିଶତ କମିଥିବା ବେଳେ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ମଧ୍ୟ ୫୬ ପ୍ରତିଶତ ହ୍ରାସ ପାଇଛି।

୨୦୧୨ରେ ଓଡ଼ିଶାରେ ୧୯ଟି ଜିଲ୍ଲା ମାଓ ପ୍ରବଣ ଥିବା ବେଳେ ୨୦୨୨ରେ ୧୦ଟି ଜିଲ୍ଲା ସରକାରୀ ଭାବେ ମାଓ ପ୍ରବଣ ଜିଲ୍ଲା ରହିଛି। ହେଲେ ଏହି ୧୦ଟି ଜିଲ୍ଲା ମଧ୍ୟରୁ ୨-୩ଟି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଥିବା ବେଳେ ବାକି ସବୁ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନକ୍ସଲ ଦମନ ନୀତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଗ୍ରାଉଣ୍ଡ ଜିରୋରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ କେନ୍ଦ୍ର ଓଡ଼ିଶାକୁ ବିଭିନ୍ନ ସମୟରେ ପ୍ରଶଂସା କରିଛି।