ହିଜାବ ବିବାଦ: ଜେଲରେ ଫୁଟିଲା ଗୁଳି

ତେହେରାନ: ଇରାନରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଇରାନ ହିଜାବ ଆନ୍ଦୋଳନ । ଆନ୍ଦୋଳନ ୫ ମାସରେ ପହଞ୍ଚି ଥିବା ବେଳେ ଏହାର ନିଆଁରେ ପୂରା ଦେଶ ଜଳୁଛି । ଏପରିକି ହିଜାବ ବନ୍ଦୀ ଜେଲରେ ମଧ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏହି କାରଣରୁ ଇରାନର ଏକ ଜେଲରେ ଗୁଳି ଫୁଟିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ମହସା ଆମିନିଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ଉଗ୍ର ହେଉଛି ଇରାନରେ ହିଜାବ ବିକ୍ଷୋଭ । ଦୁଇ ଶହରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଥିବା ବେଳେ ଅନେକଙ୍କୁ ପୋଲିସ ଉଠାଇ ନେଇ ଜେଲରେ ବନ୍ଦୀ କରିଛି । ଆଣ୍ଟି ହିଜାବ ପ୍ରୋଟେଷ୍ଟ ପଞ୍ଚମ ମାସରେ ପହଞ୍ଚିଥିବା ବେଳେ ବିକ୍ଷୋଭକାରୀମାନେ ଜେଲରେ ବି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛନ୍ତି । ବିକ୍ଷୋଭକାରୀ ରହିଥିବା ଜେଲରେ ଅଗ୍ନିକାଣ୍ଡ ଘଟିବା ସହ ଫାୟାରିଂ ହୋଇଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଗୁଳି ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି ।

ବିକ୍ଷୋଭକାରୀ ଓ ଜେଲ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ଜେଲ ୟୁନିଫର୍ମ ଥିବା ଓ୍ବେର ହାଉସରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଅଗ୍ନିକାଣ୍ଡରେ ପ୍ରାୟ ୮ ଜଣ ଆହତ ହୋଇଛନ୍ତି । ଇରାନର ଅନେକ ରାଜନୈତିକ ନେତା ଏବଂ ସରକାରୀ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ଏହି କାରାଗାରରେ ରଖାଯାଇଛି ।