ପିଛା ଛାଡ଼ୁନି ବର୍ଷା, ଆଜି ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର: ପିଛା ଛାଡ଼ୁନି ପଶ୍ଚିମା ଝଡ଼ । ଆଜି ପୁଣି ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ କେତେ ରହିବ ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି । ସେପଟେ ଆଜିଠୁ ବର୍ଷାର ପରିମାଣ କମିବ । ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହାପରେ କୌଣସି ଜିଲ୍ଲାକୁ ଅରେଞ୍ଜ କିମ୍ବା ୟେଲୋ ଆଲର୍ଟ ଜାରି ହୋଇନି । ଦିନରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି  । ମଧ୍ୟାହ୍ନରେ ତାତି ବଢିବା ସହିତ ଅପରାହ୍ନରେ କାଳବୈଶାଖୀ ରଚିବ ତାଣ୍ଡବ । ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ  । ଘଡ଼ଘଡ଼ି ବିଜୁଳି ସହିତ କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।ଏଥିପାଇଁ ଉପକୂଳ ଓ ଉତ୍ତର ଓଡ଼ିଶାର ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।