ଦେଶର ରାଜନୀତିକ ମାନଚିତ୍ରରୁ ଲିଭୁଛି ଗେରୁଆ ରଙ୍ଗ: ବିଜେପି ହାତରୁ ଖସିଲା ଆଉ ଏକ ରାଜ୍ୟ

ଭୁବନେଶ୍ୱର ବ୍ୟୁରୋ: ଭାରତୀୟ ଜନତା ପାର୍ଟି(ବିଜେପି)କୁ ବଡ଼ ଝଟ୍‌କା । ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ଗାଦିଚ୍ୟୁତ ହେଲା ବିଜେପି । ବାଜମାରିନେଇଛନ୍ତି ଜେଏମ୍‌ଏମ୍‌, କଂଗ୍ରେସ, ଆର୍‌ଜେଡି ମେଣ୍ଟ । ବିଧିବଦ୍ଧଭାବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ କେବଳ ଔପଚାରିକତା ବାକି ରହିଛି । ନିର୍ବାଚନ ଫଳାଫଳ ନେଇ ବିରୋଧୀ ଉତ୍ସାହିତ ହୋଇଥିବା ବେଳେ ବିଜେପି ମହଲରେ ନିରାଶା ଖେଳିଯାଇଛି । ବିଜେପି ହାତରୁ ଖସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ପରେ ଆଉ ଏକ ରାଜ୍ୟରେ କ୍ଷମତାରୁ ଗାଦିଚ୍ୟୁତ ହେବ ବିଜେପି । ୨୦୧୭ରେ ଦେଶରେ ପାଖାପାଖି ୬୮% ଜନସଂଖ୍ୟା ଉପରେ ଶାସନ କରୁଥିଲା ବିଜେପି । ଲଗାତାର ବିଜେପି ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସି ଚାଲିଛି । ଯଦି ଝାଡ଼ଖଣ୍ଡରେ ମଧ୍ୟ ବିଜେପି ଗାଦିଚ୍ୟୁତ ହୁଏ ତା’ ହେଲେ ଦେଶର କେବଳ ୪୩% ଲୋକଙ୍କ ଉପରେ ଶାସନ କରିବ ବିଜେପି ।

୨୦୧୪ରେ ବିଜେପି ପାଖରେ ୭ଟି ରାଜ୍ୟ ଥିଲା । ୨୦୧୮ରେ ଏହା ବଢ଼ି ୧୯ ରାଜ୍ୟକୁ ପହଞ୍ଚିଥିଲା । ୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପି ହରିୟାଣା,  ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଜିତିଥିଲା । କିନ୍ତୁ ୨୦୧୯ ବେଳକୁ ହରିୟାଣା ହି ବିଜେପି ହାତରେ ରହିଛି । ୨୦୧୯ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ଆସିନ ଜିତିଥିଲା । କିନ୍ତୁ ସରକାର ଗଠନ କରିପାରିନଥିଲା । ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ ଝାଡ଼ଖଣ୍ଡରେ ବିଜେପି ସରକାର ଗଠନ କରିବ ଏକ ପ୍ରକାର ଅସମ୍ଭବ ମନେ ହେଉଛି ।

ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜୟୀ ହେବାରେ ଲାଗିଥିଲା । କିନ୍ତୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ କଂଗ୍ରେସର ବିଜୟ ସହ ବିଜେପିର ବିଜୟ ରଥ ଉପରେ ରୋକ୍‌ ଲାଗିଥିଲା । ୨୦୧୪ରେ ବିଜେପି ପାଖରେ ୭ରାଜ୍ୟ, ୨୦୧୫ରେ ୯ରାଜ୍ୟ, ୨୦୧୬ରେ ୧୧ ରାଜ୍ୟ, ୨୦୧୭ରେ ୧୪ରାଜ୍ୟ ଓ ୨୦୧୮ରେ ଏଥିରେ ବୃଦ୍ଧି ଘଟି ୧୯ଟି ରାଜ୍ୟରେ ପହଞ୍ଚିଥିଲା ।

Leave a Reply