ଆଉ ଜଣେ ସାଲବେଗ, ମୁସଲମାନ ହେଲେ ବି ଜଗନ୍ନାଥଙ୍କ ଭକ୍ତିରେ ନିମଗ୍ନ

କୋରାପୁଟ : ଆଉ ଜଣେ ସାଲବେଗ  । ଧର୍ମ ମୁସଲମାନ ,ହେଲେ ଜଗନ୍ନାଥଙ୍କ ଭକ୍ତିରେ ନିମଗ୍ନ  । ମୁହଁରୁ ତାଙ୍କ ଅନର୍ଗଳ ବାହାରୁଛି ଜଗନ୍ନାଥ ଚେତନା ଓ ସଂସ୍କୃତିକୁ ନେଇ ପ୍ରବଚନ  । ଶ୍ରୀଜିଉଙ୍କ ପ୍ରତି ଭକ୍ତି ତାଙ୍କୁ ଟାଣି ଆଣିଛି ଶାବର ଶ୍ରୀକ୍ଷେତ୍ର  । କୋରାପୁଟ ଜଗନ୍ନାଥ ମନ୍ଦିରର ପଚାଶ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହୋଇଛି ପଞ୍ଚ ଦିବସୀୟ ସୁବର୍ଣ୍ଣ ଉତ୍ସବ । ଅବସରରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ରରେ ଭାଗ ନେବା ପାଈଁ ସୁଦୂର କଲିକତାରୁ ଆସିଥିଲେ ଭାରତବର୍ଷର ଖ୍ୟାତି ସମ୍ପନ୍ନ ଜଗନ୍ନାଥ ଚେତନାର ଗବେଷକ ଶେଖ ମକବୁଲ ଇସଲାମ  ।

ସୁଫିପନ୍ଥୀ ଇସଲାମ ଭାବାଦର୍ଶ ସମୃଦ୍ଧ ପରିବାରରେ ଜନ୍ମ ନେଇଥିବା ଡକ୍ଟର ଇସଲାମ ପିଲାଟି ବେଳୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆକର୍ଷିତ ହୋଇଥିଲେ  । ଏହି ଆଗ୍ରହ ତାଙ୍କୁ ଜଗନ୍ନାଥ ସଂସ୍କୃତି ଉପରେ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଅନୁପ୍ରାଣିତ କରିଥିଲା   । ୨୦୧୫ରେ ନବ କଳେବର ସମୟରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ହସ୍ତରୁ ପାଇଥିବା ନବ କଳେବର ସମ୍ମାନ ତାଙ୍କ ଜୀବନର ଏକ ଅମୂଲ୍ୟ ସମ୍ପଦ ବୋଲି ଡ଼. ଇସଲାମ କହିଛନ୍ତି  । ଏହି ଆଲୋଚନା ଚକ୍ରରେ ଡକ୍ଟର ଶେଖ ମକବୁଲ ଇସଲାମ, ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ଭଳି ଅନେକ ଜଗନ୍ନାଥ ସଂସ୍କୃତି  ଗବେଷକ ଯୋଗଦେଇଥିଲେ  ।