ଝାରସୁଗୁଡ଼ାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ । ଟାଉନ ଥାନା ବୁରୋମାଲ ଅଞ୍ଚଳର ଜଣେ ନାବାଳକ ନିଖୋଜ । ଗତ ଶୁକ୍ରବାରରୁ ନାବାଳକ ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ଏବେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ ।

ସୂଚନା ଅନୁସାରେ, ମା’‌ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିଲେ । ଘରେ ୨ ଭାଇ ଥିଲେ । ଶୁକ୍ରବାର ଅପରାହ୍ନରେ ଘର ବାହାରେ ଛିଡ଼ା ହୋଇଥିବା ବେଳେ କୁଆଡ଼େ ନିଖୋଜ ହୋଇଯାଇଛି ନାବାଳକ। ଶନିବାର ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେ । ତଥାପି ନାବାଳକଙ୍କର କୌଣସି ପତ୍ତା ମିଳିନଥିଲା । ରବିବାର ଝାରସୁଗୁଡ଼ା ପୋଲିସରେ ଅଭିଯୋଗ କରିଛନ୍ତି ପରିବାର।