ଏୟାର ଇଣ୍ଡିଆ ବିମାନରେ ମଦ୍ୟପଙ୍କ ଉତ୍ପାତ ଜାରି,ପୁଣି ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ

1 min read

ଦିଲ୍ଲୀ : ଏୟାର ଇଣ୍ଡିଆ ପୁଣିଥରେ ଭୁଲ କାରଣରୁ ଚର୍ଚ୍ଚା ଭିତରକୁ ଆସିଛି । ନଭେମ୍ବର ୨୬ , ୨୦୨୨ରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ମଦ୍ୟପଙ୍କ ପରିସ୍ରା ଘଟଣା ମନରୁ ଲିଭି ନଥିବା ବେଳେ ପୁଣିଥରେ ସମାନ କାଣ୍ଡ ଘଟିଛି । ତା’ ପୁଣି ସେହି ଏୟାର ଇଣ୍ଡିଆର ଇଣ୍ଟରନ୍ୟାସନାଲ ଫ୍ଲାଇଟରେ । ଲାଗୁଛି ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ଉଡ଼ାଣରେ ମଦୁଆଙ୍କ ଉତ୍ପାତ ସହଜରେ ବନ୍ଦ ହେବ ନାହିଁ ।


ଏୟାର ଇଣ୍ଡିଆର ନ୍ୟୁୟର୍କ- ଦିଲ୍ଲୀ ଫ୍ଲାଇଟର ବିଜନେସ କ୍ଲାସରେ ଜଣେ ବୟସ୍କା ମହିଳା ଉପରେ ପରିସ୍ରା ଘଟଣା ପରେ ପ୍ୟାରିସ-ଦିଲ୍ଲୀ ଫ୍ଲାଇଟରେ ମଧ୍ୟ ସମାନ କାଣ୍ଡ ଘଟିଛି । ଗୁରୁବାର ଏୟାର ଇଣ୍ଡିଆର ଜଣେ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁସାରେ ଡିସେମ୍ବର ୬ ତାରିଖ ଦିନ ଏହି ଘଟଣା ଘଟିଥିଲା । ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ଯାତ୍ରା କରୁଥିବା ଜଣେ ପୁରୁଷ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଦେଇଥିଲେ । ପରେ ସେ ଲିଖିତ ଭାବେ କ୍ଷମା ମାଗିଥିଲେ । ସୂଚନା ଅନୁସାରେ ବିମାନ ଦିଲ୍ଲୀରେ ପହଂଚିବା ପରେ ଯାତ୍ରୀଙ୍କୁ ସିଆଇଏସଫ ନିଜ କବଜାକୁ ନେଇଥିଲା । ତେବେ ସେ କେଉଁ କ୍ଲାସରେ ଯାତ୍ରା କରୁଥିଲେ ସେନେଇ କୌଣସି ସୂଚନା ମିଳି ପାରିନାହିଁ । ଏଭଳି ଘଟଣା ଡିସେମ୍ବର ୬ରେ ଏୟାର ଇଣ୍ଡିଆର ୧୪୨ ନମ୍ବର ଫ୍ଲାଇଟରେ ହୋଇଥିଲା । ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଳୀ ଫ୍ଲାଇଟରେ ହୋଇଥିବା ଏଭଳି ଏକ ଲଜ୍ୟାଜନକ ଘଟଣାର ଠିକ ୧୦ ଦିନ ପରେ ପୁଣି ଏମିତି ଏକ ଘଟଣା ଘଟିଛି ।