ଭୟଙ୍କର ବିସ୍ଫୋରଣ ପରେ ପୁଣି ବୈରୁଟରେ ଭୟାବହ ଅଗ୍ନିକାଣ୍ଡ

ବୈରୁଟ: ଲେବାନନର ରାଜଧାନୀ ବୈରୁଟରେ ଗତ କିଛି ଦିନ ପୂର୍ବରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଗୋଟିଏ ପଟେ ଭୟଙ୍କର ବିସ୍ଫୋରଣର କରାଳ ରୂପ ମନରୁ ଲିଭିନଥିବା ବେଳେ ପୁଣି ସାମ୍ନାକୁ ସେହିଭଳି ଏକ ଖବର ଆସିଛି। ଖବର ଅନୁଯାୟୀ ବୈରୁଟର ଏକ ବନ୍ଦର ନିକଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଚାରିଆଡ଼େ କଳା ବାଦଲର ଧୂଆଁ । ନିଆଁର ଭୟାବହତା ଯଥେଷ୍ଟ ଅଧିକ । ଖବର ଅନୁଯାୟୀ ଫାୟରବ୍ରିଗେଡ଼ର ଏକାଧିକ ଗାଡ଼ି ନିଆଁକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଘଟଣା ପରେ ସେଠାରେ ଚହଳ ସୃଷ୍ଟି ହୋଇଛି । ବଞ୍ଚିବା ପାଇଁ ଲୋକ ସେଠାରୁ ଏଣେତେଣେ ଦୌଡ଼ିବାକୁ ଲାଗୁଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ଏକାଧିକ ଭିଡ଼ିଓ ସାମ୍ନାକୁ ଆସୁଛି ।

ସୂଚନାଯୋଗ୍ୟ ଅଗଷ୍ଟରେ ବୈରୁଟରେ ଭୀଷଣ ବିସ୍ଫୋଟ ହୋଇଥିଲା । ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୪ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ପ୍ରାୟ ୩ ଲକ୍ଷ ଲୋକ ବାସହୀନ ହୋଇଥିଲେ । ଆଉ ପ୍ରାୟ ୩ ବିଲିୟନ ଡଲାରର କ୍ଷୟକ୍ଷତି କରିଥିଲା ଏହି ବିସ୍ଫୋରଣ । ଏଥିରୁ ଅନୁମାନ କରାଯାଇପାରେ ଏହି ବିସ୍ଫୋରଣରେ ଅଧା ସହର ବରବାଦ ହୋଇଥିଲା ।

Leave a Reply