ପୁଣି ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

1 min read

ଲାଗ ଲାଗ ଲଘୁଚାପ। ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପୁଣି ଆସୁଛି ବଡ଼ ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବ ନସରୁଣୁ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉଏକ ଲଘୁଚାପ । ଆସନ୍ତା ୨୨ରୁ ୨୪ ତାରିଖ ମଧ୍ଯରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୬ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ। ୨୪ ଓ ୨୫ ତାରିଖରେ ଲଘୁଚାପରେ ରହିବ ଅଧିକ ପ୍ରଭାବ। ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାକୁ ଥିବାରୁ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨୨ ତାରିଖ ପର୍ଯ୍ୟନ୍ତ କିଛି ଉପକୂଳ ଜିଲ୍ଲାକୁ ଛାଡ଼ି ଆଭ୍ଯନ୍ତରୀଣ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୯ ତାରିଖରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ପୁଣି ଆସନ୍ତା ୨୪ତାରିଖ ବେଳକୁ ଆସୁଛି ଆଉଏକ ଲଘୁଚାପ ।