୨୦ରେ ଆସୁଛି ଆଉ ଏକ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ୨୦ ରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ଏହାସହ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତିକରିବା ବେଳେ, ଆଭ୍ୟନ୍ତରୀଣ ଉତ୍ତର ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ନବରଙ୍ଗପୁର, କେରାପୁଟ, ରାୟଗଡାରେ ପ୍ରବଳ ବର୍ଷା ହୋଇପାରେ । ୨୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ପୁଣି ଏକ ଲଘୁଚାପ ଚାଷୀ ମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ବନ୍ୟାରେ ରାଜ୍ୟର ଅନେକ ଅଞ୍ଚଳ ଜଗମଗ୍ନ ହୋଇପଡ଼ିଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚି ସାରିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବୈଶିଷ୍ଠଙ୍କ ନେତୃତ୍ୱରେ ଏହି ଟିମ୍ ବନ୍ୟା କ୍ଷୟକ୍ଷତି ଆକଳନ କରିବେ । ଓଡ଼ିଶାରେ ୨ଦିନ ଧରି ବନ୍ୟାଞ୍ଚଳ ବୁଲି ଏକ ରିପୋଟ୍ ପ୍ରସ୍ତୁତ କରିବ କେନ୍ଦ୍ରୀୟ ପ୍ରତିନିଧି ଦଳ ।

ଏହି ଟିମ୍ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଟିମରେ କୃଷି, ଜଳ ସମ୍ପଦ ଓ ସଡ଼କ ପରିବହନ ବିଭାଗ ସଦସ୍ୟ ସାମିଲ ହେବେ । ବନ୍ୟାଞ୍ଚଳ ପରିଦର୍ଶନ କରି ୧୭ ତାରିଖ ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବ ଏହି ଟିମ୍ ।

ଗତ ବନ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦେବେ ରାଜ୍ୟ ସରକାର । ଏହି ବୈଠକରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜ୍ କୁମାର ଶର୍ମା, ଏସଆରସି ପ୍ରଦୀପ୍ତ ଜେନା ଓ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତ ରହିବେ । ତେବେ ବିଳମ୍ବରେ କେନ୍ଦ୍ରୀୟ ଟିମ୍ ଆସିବା ନେଇ ପ୍ରଶ୍ନ ଉଠାଇଥିଲେ ରାଜନୈତିକ ଦଳ. ଏହା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜୀବନ ଜୀବିକା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉପକୃତ ହେବେ ସବୁ ପ୍ରକାରର ପାରମ୍ପରିକ ଚାଷୀ । ଗତ ବନ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି ।

Leave a Reply