ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ମୃତ୍ୟୁ। ସଂଘବଦ୍ଧ ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ୩ ଦିନ ଧରି ଚିକିତ୍ସା ପରେ ମଧ୍ୟ ବଞ୍ଚିପାରିଲାନି ଖୋକନ ଚନ୍ଦ୍ର ଦାସ ନାମକ ବ୍ୟକ୍ତିଙ୍କ ଜୀବନ। ଢାକାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଖୋକନଙ୍କ ମୃତ୍ୟୁ ହୋଇଛି। ଗତ ଡିସେମ୍ବର ୩୧ ରାତିରେ ଘରକୁ ଫେରିବାବେଳେ ଖୋକନ ଦାସଙ୍କୁ ଆକ୍ରମଣ କରିଥିଲେ ଉପଦ୍ରବକାରୀ। ନିସ୍ତୁକ ମାଡ଼ ମାରିବା ସହ ଛୁରାମାଡ଼ କରିଥିଲେ। ଏଥିସହ ଖୋକନଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।
ଜୀବନ ବିକଳରେ ପୋଖରୀକରୁ ପଶିଯାଇଥିଲେ ଖୋକନ। ପୋଖରୀରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋକନଙ୍କୁ ଢାକାର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଔଷଧ ଦୋକାନ କରିଥିବା ଖୋକନ ଦାସ ଦୋକାନ ବନ୍ଦ କରି ଘରକୁ ଫେରିବାବେଳେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଗତ ବୁଧବାର ଦିନ ଏହି ଆକ୍ରମଣ ଘଟିଥିଲା। ଖୋକନଙ୍କ ମୁଣ୍ଡ ଏବଂ ମୁହଁ ପୋଡ଼ି ଯାଇଥିଲ। ଏହା ପରେ ଆକ୍ରମଣକାରୀମାନେ ପଳାଇ ଯାଇଥିଲେ। ହିନ୍ଦୁଙ୍କୁ ଟାର୍ଗେଟ କରି ଆକ୍ରମଣ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରରେ ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଉଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ଲାଗି ରହିଥିବା ଆକ୍ରମଣ ନେଇ ଭାରତ ଅନେକବାର ଚିନ୍ତା ପ୍ରକାଶ କରିଛି। ବାଂଲାଦେଶ ସ୍ଥିତି ଉପରେ ଭାରତ ସତର୍କ ଦୃଷ୍ଟି ରଖିଥିବା କହିଛି।

