ପୁଣି ରାଜ୍ୟରେ ଚାଷୀ ମୃତ୍ୟୁ: ଫସଲ କ୍ଷତି ନେଲା ଆଉ ଜଣେ ଚାଷୀଙ୍କ ଜୀବନ

ଗଞ୍ଜାମ: ଫସଲ କ୍ଷତି ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କତୁରୁ ଗାଁରେ ଧାନ କ୍ଷେତରେ ଟଳିପଡ଼ିଲେ ଆଉ ଜଣେ ଚାଷୀ । ମୃତ ଚାଷୀ ବିପୁଳିଙ୍ଗି ପଞ୍ଚାୟତ କତୁରୁ ଗାଁର ୭୧ ବର୍ଷୀୟ ପି. ଇଶ୍ୱର ରେଡ୍ଡୀ । ଦୁଇଥର ଲଗାଣ ବର୍ଷାରେ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଆଶାଠାରୁ କମ୍‌ ଧାନ ଅମଳ ହେବା ଦେଖି ଇଶ୍ବର ଜମିରେ ହିଁ ଟଳିପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଭୁବନେଶ୍ଵରରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଫସଲ ନଷ୍ଟ ଯୋଗୁଁ ସେ ଗତ କିଛି ଦିନ ହେଲା ଚିନ୍ତାରେ ରହୁଥିଲେ । ଜମିରେ ଫସଲ ଅମଳ କାମ ଚାଲୁଥିଲା ବେଳେ ଚାଷୀ ଜଣଙ୍କ ଭଲ ଧାନ ଅମଳ ଆଶା ରଖିଥିଲେ । ଇଶ୍ୱର ନିଜର ୩ ଏକର ଓ ଅନ୍ୟର ୨ ଏକର ସହିତ ମୋଟ ୫ ଏକର ଜମିରେ ଧାନ ଚାଷ କରିଥିଲେ ।

ଇଶ୍ବର ଚାଷ କାର୍ଯ୍ୟ ପାଇଁ ବିପୁଳିଙ୍ଗି ବ୍ୟାଙ୍କ ଅଫ ଇଣ୍ଡିଆରୁ ୭୦ ହଜାର, ସମବାୟ ବ୍ୟାଙ୍କରୁ ୯୫ ହଜାର ଓ ୧ ଲକ୍ଷ ଟଙ୍କା ଋଣ କରି କରି ଧାନ ଚାଷ କରିଥିଲେ । କିପରି ଏହି ଋଣ ସୁଝିବେ ସେ ନେଇ ଚିନ୍ତାରେ ରହୁଥିଲେ । ମୃତକ ପି.ଇଶ୍ୱର ରେଡ୍ଡି ଧାନ ସୋସାଇଟରେ ଧାନ ବିକ୍ରି ପାଇଁ ୬ ତାରିଖରେ ଟୋକନ ପାଇଥିଲେ । ସମସ୍ତ ଋଣ ଛାଡ଼ ସମେତ ପରିବାରକୁ କ୍ଷତିପୁରଣ ଦାବି କରିଛନ୍ତି ପରିବାର ସଦସ୍ୟ । ଖବର ପାଇ ମୃତ ଚାଷୀଙ୍କ ଘରେ ଛତ୍ରପୁର ବ୍ଲକ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ପୂର୍ବରୁ ୧୫ ଦିନ ତଳେ ଫସଲହାନୀ ନେଇ ଡିସେମ୍ବର ୨୬ରେ ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ବନମାଳୀ ପେଣ୍ଠେଇ ନାମକ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।