ନକଲି ଔଷଧ ଧରପଗଡ : ଭୁବନେଶ୍ବରରେ ଆଉ ଏକ ମାମଲା ରୁଜୁ

1 min read

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ନକଲି ଔଷଧ ଧରପଗଡ । ପୂର୍ବରୁ ରାଜ୍ୟର ବିଭିନ୍ନ ସହରରେ ମୋଟ ୧୩ ଟି ମାମଲା ରୁଜୁ ହୋଇଥିବା ବେଳେ ଗତକାଲି ଭୁବନେଶ୍ବରରେ ଆଉ ଏକ ମାମଲା ରୁଜୁ ହୋଇଛି । ଅଶୋକନଗର ସ୍ଥିତ ନୀଳାଚଳ ଆସୋସିଏଟସରୁ ନକଲି ଔଷଧ କାରବାର ସମ୍ପର୍କିତ ୪୩୩ଟି ନଥିପତ୍ର ଜବତ କରିଛି ଟିମ୍ । ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର ସୁଦର୍ଶନ ବିଶ୍ବାଳ ଓ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ କୁମାର ଗିରି ଚଢ଼ାଉ କରି ଫେକ୍ ମେଡିସିନ ସମ୍ପର୍କିତ କାଗଜପତ୍ର ଜବତ କରିଛନ୍ତି ।

ଜବତ ସମସ୍ତ ନଥିପତ୍ରକୁ ଭୁବନେଶ୍ବର ଏସ ଡି ଜେ ଏମ କୋର୍ଟରେ ଦାଖଲ କରାଯିବା ସହ ଏକ ମାମଲା ମଧ୍ୟ ବିଭାଗ ପକ୍ଷରୁ ରୁଜୁ କରାଯାଇଛି । ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି , ସମ୍ବଲପୁରର ଦୁର୍ଗା ଏଜେନ୍ସି ଓ କଟକର ଏମ୍ ଏଚ ଫାର୍ମାସ୍ୟୁଟିକାଲ୍ସରୁ ବିଭିନ୍ନ କମ୍ପାନୀର ନକଲି ଔଷଧ ନୀଳାଚଳ ଆସୋସିଏଟସକୁ ଆସିଥିବା ଜଣାପଡିଛି । ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ବେନିୟମ ଭାବେ ବାରଣାସୀରୁ ନକଲି ଔଷଧ ଆଣି ବିଭିନ୍ନ ସ୍ଥାନକୁ ପଠାଇଥିବା ସୂଚନା ମିଳିଛି ।

ସେପଟେ ଗ୍ଲେନମାର୍କ କମ୍ପାନୀର ଟେଲମା-୪୦ ଓ ଟେଲମା-H, ଆଲକେମ କମ୍ପାନୀର କ୍ଲାଭାମ-୬୨୫ ଭଳି ଔଷଧର ନିର୍ଦ୍ଦିଷ୍ଟ ବ୍ୟାଚ ନକଲି ବୋଲି ସ୍ପଷ୍ଟ ହେବା ପରେ ତଦନ୍ତ ଦ୍ବରାନ୍ବିତ ହୋଇଛି । ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ୩ଟି ସ୍ବତନ୍ତ୍ର ଟିମ୍ ଭୁବନେଶ୍ବରରେ ଚଢାଉ ଓ ଯାଞ୍ଚ ଜାରି ରଖିଛନ୍ତି ।