ମିଆଁମାରରେ ପୁଣି ଭୂକମ୍ପ ଝଟକା: ଗତକାଲି ଭୂକମ୍ପରେ ଗଲାଣି ହଜାରେରୁ ଅଧିକ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପରେ ପୁଣି ଥରିଲା ମିଆଁମାର । ରିଆକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ମପାଯାଇଛି । ଗତକାଲି ଦୁଇଟି ଭୂକମ୍ପ ମିଆଁମାରକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଥରେ ଆଉ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।
ସୂଚନାଯୋଗ୍ୟ, ଗତକାଲି ମିଆଁମାର ସମେତ ଥାଇଲାଣ୍ଡରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯେଉଁଥିରେ କେବଳ ମିଆଁମାରରେ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି କୋଠାର ଭଗ୍ନାବଶେଷ ତଳେ ଲୋକେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ତେବେ ସମୟ ଗଡ଼ିବା ସହ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଏମିତି ସ୍ଥିତିରେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।
ସେହିପରି ଥାଇଲାଣ୍ଡରେ ମଧ୍ୟ ଭୁକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲିର ଭୂକମ୍ପରେ ଥାଇଲାଣ୍ଡରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।
ଆଜି ମିଆଁମାରରେ ଆଉ ଏକ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଗତକାଲିର ପ୍ରାକୃତିକ ତାଣ୍ଡବରୁ ଲୋକେ ବାହାରି ନଥିବା ବେଳେ ଆଉ ଏକ ଭୂକମ୍ପ ଝଟକା ସେମାନଙ୍କୁ ଆଶଙ୍କା ମଧ୍ୟକୁ ଠେଲି ଦେଇଛି । ବହୁ ଲୋକେ ଏବେ ବି ନିଖୋଜ ଥିବା ବେଳେ ଲୋକେ ସେମାନଙ୍କ ପରିଜନଙ୍କୁ ଖୋଜୁଛନ୍ତି । ଏମିତି ସ୍ଥିତିରେ ଆଉ ଏକ ଭୂକମ୍ପ ଝଟକା ଲୋକଙ୍କୁ ଦୋହଲାଇ ଦେଇଛି ।
ସେପଟେ ଭୂକମ୍ପ ପରେ ମିଆଁମାରକୁ ବିଭିନ୍ନ ଦେଶରୁ ରିଲିଫ ସହାୟତା ପହଞ୍ଚିବାରେ ଲାଗିଛି । ଭାରତ ୪୦ ହଜାର କେଜିର ରିଲିଫ ସାମଗ୍ରୀ ମିଆଁମାରକୁ ପଠାଇଛି । ଏଥିରେ ଔଷଧ ସମେତ, ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ସେହିପରି ରିଲିଫ କାମରେ ଭାରତୀୟ ନେଭି ମଧ୍ୟ ନିଯୋଜିତ ହୋଇଛି ।