ୟୁପି: ହାଥରସ୍, ବଳରାମପୁର ପରେ ଭଦୋହୀରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା
1 min readଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ଅପରାଦ କମିବାର ନାଁ ନେଉନି । ଏବେ କେତକ ଜିଲ୍ଲାରେ ଦୁଷ୍କର୍ମ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶ ଶାନ୍ତ ପଡ଼ିନି । ଏପଟେ ଭଦୋହୀରେ ଜଣେ ଦଳିତ ନାବାଳିକାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଝିଅଟିର ବେକକୁ କାଟି ଦିଆଯାଇଛି । ଘର ଲୋକ ଅଭିଯୋଗ କରିଛନ୍ତି ଦୁଷ୍କର୍ମ ପରେ ଝିଅକୁ ମାରି ଦିଆଯାଇଛି ।
ଭଦୋହୀର ଗୋପୀଗଞ୍ଜର କୋତବାଲି ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା । ଚକରାଜାରାମ ତିୱାରୀପୁର ଗାଁରେ ଦିନ ଦ୍ୱିପ୍ରହରରେ ୧୪ ବର୍ଷୀୟା ନାବାଳିକା ଘର ନିକଟ ବିଲକୁ ଶୌଚ ପାଇଁ ଯାଇଥିଲେ । ବହୁତ ସମୟ ଧରି ଝିଅ ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଶେଷରେ ବିଲରେ ଝିଅର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ ଘର ଲୋକ ।
नाबलिक आंचल पुत्री मुकेश हरिजन उम्र करीब 14 वर्ष की हत्या अज्ञात व्यक्तियों द्वारा ईट पत्थर से मारकर हत्या कर दी गई है । थाना गोपीगंज पुलिस पुलिस द्वारा घटना के सम्बन्ध में हत्या का अभियोग पंजीकृत किया गया है, उक्त हत्या की घटना के सम्बन्ध में पुलिस अधीक्षक की बाईट। @uppolic pic.twitter.com/KcpIVvefhh
— BHADOHI POLICE (@bhadohipolice) October 1, 2020
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରିବାର ଲୋକ ଆଶଙ୍କା କରୁଛନ୍ତି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଫରେନ୍ସିକ୍ ଏକ୍ସପର୍ଟ ଓ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି । ଭଦୋହୀ ଏସପିଙ୍କ ଅନୁସାରେ- ପୋଲିସ ଦୁଷ୍କର୍ମ ଓ ଅନ୍ୟ ଦିଗ ଉପରେ ତଦନ୍ତ କରୁଛି । ତଣ୍ଟି କାଟି ହତ୍ୟା କରାଯାଇଥିବା ବେଳେ ଦୁଷ୍କର୍ମ ହୋଇଛି କି ନାହିଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କହିଛନ୍ତି ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ହାଥରସ୍, ବଳରାମପୁରରେ ଦଳିତ ଝିଅଙ୍କ ସହ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୋଲିସ ଓ ଆଇନ୍ ଉପରେ ଲୋକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ହାଥରସରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ମରଶରୀର ପୋଡ଼ି ଦେଇଥିଲା । ଯାହାକୁ ନେଇ ପୋଲିସ-ପ୍ରଶାସନ ଉପରେ ସମସ୍ତେ ପ୍ରଶ୍ନ ଉଠାଇଥିଲେ ।