ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ

1 min read
Another Cyclone Likely To Hit Bay Of Bengal Coast Around 18th November

ଭୁବନେଶ୍ୱର: ବଡ଼ ଓଷାରେ ମାଡ଼ ହୋଇପାରେ ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରି ଅବପାତର ରୂପ ନେବ ।  ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ୧୮ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ, ଲଘୁଚାପଟି ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ, ପାଣିପାଗ ବିଭାଗର ପ୍ରାକ୍ ଆକଳ ଅନୁସାରେ ବାତ୍ୟା ହେଲେ ଆନ୍ଧ୍ର ଉପକୂଳରେ ମାଡ଼ ହେବାର ଆଶଙ୍କା ରହିଛି ।

ପ୍ରଭାବରେ ୧୭ ତାରିଖରେ ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୭ ତାରିଖ ବେଳକୁ ପବନ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିପାରେ । ୧୬ ତାରିଖରୁ ୧୮ ତାରିଖ ଯାଏଁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୩ରୁ ୧୫ ତାରିଖ ଯାଏଁ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସେହିଭଳି ପଶ୍ଚିମ କେନ୍ଦ୍ରୀୟ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ୧୬ରୁ ୧୮ ତାରିଖ ଯାଏଁ ଅଶାନ୍ତ ରହିବ । ଗଭୀର ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନେ ୧୫ ତାରିଖ ସୁଦ୍ଧା ଫେରି ଆସିବାକୁ ପାଣିପାଗ ବିଭାଗ କହିଛି ।

ଏଥିସହ ପଢ଼ନ୍ତୁ: ଭିଜାଉଛି ଲଘୁଚାପ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ନୂଆପଡ଼ା, ଢେଙ୍କାନାଳ, ମାଲକାନଗିରି, ଏବଂ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply