ଭାରତ ପ୍ରେମରେ ଶ୍ରୀଲଙ୍କା ସୁନ୍ଦରୀ, ଫେସବୁକ୍‌ ପ୍ରେମିକ ପାଇଁ ଦରିଆ ଡେଇଁଲେ ଶିବକୁମାରୀ ବିଘ୍ନେଶ୍ବରୀ

ହାଇଦ୍ରାବାଦ: ପ୍ରେମ ପାଇଁ ଆଉ ଏକ ସୀମା ପାର୍ କାହାଣୀ । ସୀମା, ଅଞ୍ଜୁଙ୍କ ପରେ ଶ୍ରୀଲଙ୍କାର ଶିବକୁମାରୀଙ୍କୁ ନେଇ ଚର୍ଚ୍ଚା । ଫେସବୁକ ପ୍ରେମିକଙ୍କୁ ବାହା ହେବାକୁ ଦରିଆ ସେପାରିରୁ ଆସି ଭାରତରେ ପହଞ୍ଚିଛନ୍ତି ଶିବକୁମାରୀ ବିଘ୍ନେଶ୍ବରୀ । ଟୁରିଷ୍ଟ ଭିସା ନେଇ ଶ୍ରୀଲଙ୍କାରୁ ଆସିଥିବା ଶିବକୁମାରୀ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି । ଶନିବାର ଶିବକୁମାରୀ ଓ ଲକ୍ଷ୍ମଣଙ୍କ ପ୍ରେମକାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିସା ଏକ୍ସପାରୀ ହେବା ପୂର୍ବରୁ ଦେଶ ଛାଡ଼ିବାକୁ ପୋଲିସ କହିଛି । କିମ୍ବା ଭିସା ଅବଧି ବୃଦ୍ଧି କରିବାକୁ ଶିବକୁମାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫେସବୁକରୁ ଶିବକୁମାରୀ ଓ ଲକ୍ଷ୍ମଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଜୁଲାଇ ୮ ତାରିଖରେ ଶିବକୁମାରୀ ଆନ୍ଧ୍ରପ୍ରଦେଶ ଚାଲିଆସିଥିଲେ । ଗତ ୨୦ ତାରିଖରେ ଲକ୍ଷ୍ମଣଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶିବକୁମାରୀଙ୍କୁ ଭିସା ଅବଧି ଶେଷ ହେଉଥିବାରୁ ଚିତ୍ତୋର ଏସପି ତାଙ୍କୁ ନୋଟିସ ଜାରି କରିବା ସହ ସମୟ ଭିତରେ ଶ୍ରୀଲଙ୍କା ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେ ଶ୍ରୀଲଙ୍କା ଫେରିଯିବାକୁ ଚାହୁଁ ନଥିବା ବେଳେ ଆଉ ବର୍ଷେ ଭିସା ଅବଧି ବଢ଼ାଇବାକୁ ଆବେଦନ କରିଛନ୍ତି । ଏବଂ ଭାରତୀୟ ନାଗରିକତା ନେବା ପାଇଁ ଚେଷ୍ଟା ଚଳାଇଥିବା ପୋଲିସ କହିଛି ।