ସମ୍ବଲପୁରରେ ଆଉ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ, ୨୨ ତାରିଖ ସକାଳ ୧୦ଟା ଯାଏ କଟକଣା

ସମ୍ବଲପୁର: ସମ୍ବଲପୁର ସ୍ଥିତିରେ ଆସୁଛି ସୁଧାର । ସହରରେ ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ସମ୍ବଲପୁରରେ ଆଉ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ୨୨ ତାରିଖ ଶନିବାର ସକାଳ ୧୦ଟା ଯାଏ ଇଣ୍ଟରନେଟ୍ ବ୍ୟାନ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସେପଟେ ଦିନ କର୍ଫ୍ୟୁରେ ସର୍ବାଧିକ କୋହଳ କରାଯାଇଛି । ସକାଳ ୬ରୁ ସଂଧ୍ୟା ୬ କର୍ଫ୍ୟୁ କୋହଳ ଥିବା ବେଳେ ସନ୍ଧ୍ୟା ୬ରୁ ସକାଳ ୬ କର୍ଫ୍ୟୁ ବଳବତ୍ତର ରହିଛି । ଇଦ୍ ସମୟରେ ଇଦଗା ପଡ଼ିଆରେ ସାମୂହିକ ପ୍ରାର୍ଥନା କରାଯିବ ନାହିଁ । ସମସ୍ତେ ଘରେ ରହି ପ୍ରାର୍ଥନା କରିବା ପାଇଁ ନିବେଦନ କରିଛି ଇଦଗା କମିଟି । ସ୍ଥିତି ନେଇ କ୍ୟାମ୍ପ ଅଫିସରେ ଗତକାଲି ଡିଜିପି କରିଥିଲେ ବୈଠକ । ମୋଟାମୋଟି ଭାବେ ସମ୍ବଲପୁରରେ ସ୍ଥିତି ଶାନ୍ତ ଥିବା ସୂଚନା ଦେଇଛନ୍ତି ଡିଜିପି । ବରିଷ୍ଠ ପୋଲିସ ଅଧିକାରୀ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ସାହିକୁ ସାହି ବୁଲି ଶାନ୍ତି ଫେରାଇ ଆଣିବା ଦିଗରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ।