Bhubaneswar Corona Updates : ୪୦୪ ନୂଆ ସଂକ୍ରମିତ, ସୁସ୍ଥ ହେଲେ ୨୭୩

1 min read

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ୪୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୨୭୩ ଜଣ ସୁସ୍ଥ ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବିଏମସି ଟ୍ୱିଇଟରରେ ରାଜଧାନୀ ୬୭ଟି ଯାକ ୱାର୍ଡର କୋଭିଡ୍ ସ୍ଥିତି ନେଇ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଗଲା କିଛି ଦିନ ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଗଞ୍ଜାମକୁ ମଧ୍ୟ ପଛରେ ପକାଇଛି । ତେବେ ଖୋର୍ଦ୍ଧାର ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ କମ୍ ରହିଥିବା ବେଳେ କେବଳ ଭୁବନେଶ୍ୱର ସହର ହିଁ ସମସ୍ୟା ବଢାଉଛି । ସଂକ୍ରମଣ ତାଲିକାରେ ରାଜଧାନୀରେ ନମ୍ୱର ସବୁଠାରୁ ଆଗରେ ରହୁଥିବା ହେତୁ ରାଜ୍ୟ ସରକାର ଏବେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଉପରେ ମଧ୍ୟ ବିଚାର କରୁଛନ୍ତି ।

ସେହିଭଳି ବିଏମସି ପକ୍ଷରୁ ସବୁ ପ୍ରକାର ଉଦ୍ୟମ ବଜାୟ ରହିଥିଲେ ମଧ୍ୟ ରାଜଧାନୀକୁ ଗମନାଗମନ ଓ ପରିବହନ କଟକଣା ପୂର୍ବପେକ୍ଷା କୋହଳ ହୋଇଥିବା ହେତୁ ସମସ୍ୟା ବଢିଛି ବୋଲି ଅନୁମାନ ହେଉଛି । ଏବେ ସଂକ୍ରମଣ ଆହୁରି ବଢିପାରେ, କାରଣ- କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଆସିବା ପରେ ରାଜ୍ୟ ସରକାର ଏବେ ନିଜ ଇଚ୍ଛାରେ ଲକଡାଉନ୍ ଓ ସଟଡାଉନ୍ କଟକଣା ଲଗାଇ ପାରିବେ ନାହିଁ । ଯାହା ଫଳରେ ରାଜଧାନୀ କଟକଣା ମୁକ୍ତ ହେବ  ।

ଏଭଳି ହେଲେ ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ରହିଛି । ଅନ୍ୟପକ୍ଷରେ ବିଗତ ଦିନ ତୁଳନାରେ ବିଏମସି ଅଧିକରୁ ଅଧିକ ସଂଖ୍ୟକ ଟେଷ୍ଟିଂ କରିବା ଉପରେ କ୍ରମାଗତ ଭାବେ ଫୋକସ୍ କରୁଛି । ରାଜଧାନୀରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ ମଧ୍ୟ ଆରମ୍ଭ ହୋଇ ସାରିଛି । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରର ସମୁଦାୟ ସଂକ୍ରମଣ ୧୦ ହଜାର ୪୨୫ରେ ପହଞ୍ଚିଛି । ସେହିଭଳି ଏବେ ୪ ହଜାର ୩୮ ଜଣ ସକ୍ରିୟ ରୋଗୀ ରହିଛନ୍ତି । ୬୩୩୪ ଜଣ ସୁସ୍ଥ ହୋଇ ସାରିଲେଣି । ୪୨ ଜଣ କରୋନାର ଶୀକାର ହୋଇ ପ୍ରାଣ ହରାଇଛନ୍ତି ।

Leave a Reply