ଦେଶରେ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଘଟୁଛି ସବୁଠୁ ଅଧିକ ଦୁର୍ଘଟଣା
ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ । ଅପରାହ୍ଣ ୩ଟାରୁ ରାତି ୯ଟା ମଧ୍ୟରେ ସବୁଠାରୁ ଘଟୁଛି ବେଶୀ ଦୁର୍ଘଟଣା । ୨୦୨୧ରେ ଏହି ସମୟ ମଧ୍ୟରେ ଘଟିଛି ୪୦ ପ୍ରତିଶତ ଦୁର୍ଘଟଣା । ରାତି ୧୨ଟାରୁ ଭୋର୍ ୬ଟା ଯାଏ ସବୁଠାରୁ ନିରାପଦ । ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ ଦୁର୍ଘଟଣା ଘଟିଥିଲା । ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧ ଲକ୍ଷ ୫୧ ହଜାର ୯୭୧ ଯାହାକି ୨୦୧୧ ପରଠାରୁ ସର୍ବାଧିକ । ଏହାର ଅର୍ଥ ଦୈନିକ ୪୨୨ ଜଣ ତଥା ପ୍ରତି ଘଣ୍ଟାରେ ୧୮ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
୨୦୨୧ରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୩ ଲକ୍ଷ ୮୪ ହଜାର ୪୩୨ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ସେଥିରୁ ୧ ଲକ୍ଷ ୫୮ ହଜାର ଦୁର୍ଘଟଣା ଘଟିଥିଲା ଅପରାହ୍ଣ ୩ଟାରୁ ରାତି ୯ ମଧ୍ୟରେ । ଅପରାହ୍ଣ ୩ରୁ ୬ ମଧ୍ୟରେ ୭୩ ହଜାର ୪୬୭ଟି ଦୁର୍ଘଟଣା ଘଟିଥିବାବେଳେ ସନ୍ଧ୍ଯା ୬ରୁ ୯ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୮୫ ହଜାର ୧୭୯ ।
ରାତି ୯ରୁ ୧୨ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୪୧ ହଜାର ୯୨ । ରାତି ୧୨ରୁ ଭୋର ୩ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୧୯ ହଜାର ୬୮୨ । ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୨୦ ହଜାର ୧୨୦ । ସକାଳ ୬ଟାରୁ ସକାଳ ୯ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୪୩ ହଜାର ୩୭୦ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ସଂଖ୍ୟା ଥିଲା ୬୧ ହଜାର ୩୮୭ । ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୬୩ ହଜାର ୧୩୯ ।
ଏହି ଧାରା ଗତି ୫ ବର୍ଷ ଧରି ପରିଲକ୍ଷିତ ହୋଇଛି । ୨୦୨୧ ଜାନୁଆରୀରେ ସର୍ବାଧିକ ଅର୍ଥାତ ୪୦ ହଜାର ୩୦୫ଟି ଦୁର୍ଘଟଣା ଘଟିଥିଲା । ଏହାପଛକୁ ଥିଲା ମାର୍ଚ୍ଚ ମାସର ଦୁର୍ଘଟଣା । ମାର୍ଚ୍ଚରେ ଦୁର୍ଘଟଣା ସଂଖ୍ୟା ଥିଲା ୩୯ହଜାର ୪୯୧ । ମାର୍ଚ୍ଚ ମାସରେ ସର୍ବାଧିକ ମୃତ୍ଯୁ ଅର୍ଥାତ ୧୪ ହଜାର ୫୭୯ ହୋଇଥିବାବେଳେ ଜାନୁଆରୀରେ ପ୍ରାଣ ହରାଇଥିଲେ ୧୪ ହଜାର ୫୭୫ ଜଣ । ସନ୍ଧ୍ଯା ୬ଟା ଓ ରାତି ୯ ମଧ୍ୟରେ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୧୪ ହଜାର ୪୧୬ ଦୁର୍ଘଟଣା ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୦ ହଜାର ୩୩୨ଟି ଦୁର୍ଘଟଣା ଘଟିଛି ।