ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ମେରାକି’

1 min read

ଭୁବନେଶ୍ୱର: ଉଦ୍‍ଯାପିତ ହୋଇଯାଇଛି ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ମେରାକି’ । ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା । ମୁଖ୍ୟଅତିଥିଙ୍କ ଦ୍ୱାରା ଶୁଭ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥିରୂପେ ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ଦେବବ୍ରତ ଦାଶ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇ ଶୃଙ୍ଖଳିତ କରାଯାଉ । ସେ ତା’ର ଶୈଶବକୁ ଉପଯୁକ୍ତ ଭାବରେ ଉପଭୋଗ କରିବାର ସୁଯୋଗ ଲାଭ କରୁ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଶ୍ରୀଯୁକ୍ତ ମଦନମୋହନ ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ସ୍ୱାଗତ ଅଭିଭାଷଣରେ ବିଦ୍ୟାର୍ଥୀମାନେ ଶିକ୍ଷକତା ବୃତ୍ତିକୁ ଭବିଷ୍ୟତରେ ଆପଣାଇ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବାପାଇଁ ଆହ୍ୱାନ ଦେଇଥିଲେ । ଡିଏଭି ବିଦ୍ୟାଳୟ ସମୂହ-୧ର ଆଞ୍ଚଳିକ ଅଧିକାରୀ ଡ. କେ. ସି. ଶତପଥୀ ୪-ଜି ଅର୍ଥାତ୍‍ ମୋବାଇଲର ସଦ୍‍ବ୍ୟବହାର, ଶୃଙ୍ଖଳିତ ଜୀବନଯାପନ, ଶ୍ରେଣୀକକ୍ଷରେ ନିୟମିତ ଉପସ୍ଥାନ ଓ ମଟର ସାଇକଲ ବ୍ୟବହାର ନ କରିବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଦାନ କରୁଥିବା ବିଭିନ୍ନ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ତଥା କାର୍ଯ୍ୟାଳୟ କର୍ମକର୍ତ୍ତା ଅଶୋକ କୁମାର ସାହୁଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସାଂସ୍କୃତିକ ବିଭାଗର ଇନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମଙ୍ଗରାଜ ।ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ୟୁନିଟ୍‍-୮ ଅଧ୍ୟକ୍ଷା, ଡିଏଭି କଳିଙ୍ଗନଗରର ଅଧ୍ୟକ୍ଷଙ୍କ ସହ ଡିଏଭି ବିଦ୍ୟାଳୟ ସମୂହ -୧ ର ଅଧିକାଂଶ ଅଧ୍ୟକ୍ଷା ଅଧ୍ୟକ୍ଷ, ଶିକ୍ଷୟିତ୍ରୀ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପାୟଲ କି ଝଙ୍କାର, ନବରସ୍‍-ଏକ୍‍ ଅନୁଭୂତି, ପଞ୍ଜାବ-ଦି-ରୋନକ, ୱେଷ୍ଟନ୍‍ ସ୍ୱାଗ୍‍, ଓଡିଆ ନାଟକ – ଭିନ୍ନ ଏକ ଗାନ୍ଧୀ, ଅଗ୍ରଗଣ୍ୟ, ତୁଟ୍‍-ତା-ତାରା ଆଦି କାର୍ଯ୍ୟକ୍ରମ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥଲେ ।

Leave a Reply