ମୁଁ କେଜ୍ରିଓ୍ବାଲଙ୍କୁ ମଦଠାରୁ ଦୂରେଇ ରହିବାକୁ ବାରମ୍ବାର କହିଥିଲି: ଆନ୍ନା ହଜାରେ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କହିଛନ୍ତି, ମୁଁ ତାଙ୍କୁ (କେଜ୍ରିଓ୍ବାଲ) ମଦ ଠାରୁ ଦୂରରେ ରହିବା ଲାଗି ବାରମ୍ବାର କହିଥିଲି । ମାତ୍ର ସେ ଟଙ୍କା ଲାଗି ମଦ ନୀତି ଲାଗି ଆଗେଇଲେ । ଏହା ହେଉଛି ତାହାର ଫଳ ।

ଆଗକୁ ସେ କହିଛନ୍ତି, କେଜ୍ରିୱାଲଙ୍କ ମଦନୀତିକୁ ବହୁ ରାଜନୈତିକ ଦଳ ସମର୍ଥନ କରିଥିଲେ । ପାଣ୍ଠି ଲାଗି ମଦ ନୀତି କରିବା ଅନୁଚିତ ଥିଲା । ଦିନେ ମଦ ବିରୋଧରେ କେଜ୍ରିୱାଲ ତାଙ୍କ ସହ କାମ କରିଥିଲେ । ମାତ୍ର ପରେ ମଦ ନୀତି ଲାଗି ଆଗଭର ହୋଇଥିଲେ । ୨୦୧୧ରେ ଦୁର୍ନୀତି ବିରୋଧୀ ଅଭିଯାନରୁ ସୃଷ୍ଟି ହୋଇଥିଲା ଆପ୍ । ମାତ୍ର କ୍ରମଶଃ ଆପରୁ ଦୂରେଇ ଯାଇଥିଲେ ହଜାରେ ।

ସେ କହିଛନ୍ତି, କେଜ୍ରିଓ୍ବାଲ ଗିରଫ ହେବା ମୋତେ ଦୁଃଖ ଦେଉଛି । ସେ ମୋ କଥା ଶୁଣି ନଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ତାଙ୍କୁ ଦୁଇ ଥର ଚିଠି ଲେଖିଥିଲି । ହେଲେ ସେ ମୋ କଥା ମାନିଲେନି, ଏବେ ସେହି ମଦ ପାଇଁ ଗିରଫ ହୋଇଛନ୍ତି ।

ପୁରୁଣା ଦିନକୁ ମନେ ପକାଇ ଆନ୍ନା କହିଛନ୍ତି, ନୂଆ ନୂଆ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆ ମୋ ସହ ମିଶିଥିଲେ, ସେତେବେଳେ ତାଙ୍କୁ କହିଥିଲି ଦେଶର ଭଲ ପାଇଁ ସବୁ ବେଳେ କାମ କରିବ । ହେଲେ ସେମାନେ ଏହି କଥାକୁ ଭୁଲିଗଲେ । ମୁଁ ଏବେ ସେମାନଙ୍କୁ କୌଣସି ଉପଦେଶ ଦେବାକୁ ଚାହୁଁନାହିଁ । ଆଇନ ଓ ସରକାର ଯାହା କରିବା କଥା କରିବେ ।