ଅଗଷ୍ଟ ୨୦ରେ ଭାରତ ଫେରିବେ ଅଞ୍ଜୁ, ବିବାହ ନେଇ କୌଣସି ଯୋଜନା ନଥିବା କହିଲେ ପାକିସ୍ତାନୀ ବନ୍ଧୁ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ ମହିଳା ସୀମା ହାଇଦର ଭାରତ ଆସିବା ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସଚିନଙ୍କ ପ୍ରେମରେ ପଡ଼ି ସୀମା ହାଇଦର ଭାରତ ଚାଲି ଆସିବା ଘଟଣା ସମସ୍ତେ ଜାଣିଥିବେ । ଏହାରି ମଧ୍ୟରେ ଏପରି ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ତେବେ ଏଥର ଭାରତୀୟ ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ପାକିସ୍ତାନ ଚାଲିଯାଇଛନ୍ତି । ରାଜସ୍ଥାନର ଏହି ମହିଳାଙ୍କ ନାଁ ହେଉଛି ଅଞ୍ଜୁ । ୩୪ ବର୍ଷୀୟା ଅଞ୍ଜୁ ଫେସବୁକ୍ ଜରିଆରେ ନସରୁଲ୍ଲାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଏହାପରେ ତାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା ।

ଅଞ୍ଜୁ ବିବାହିତା ଅଟନ୍ତି ଏବଂ ତାଙ୍କର ଦୁଇ ପିଲା ଅଛନ୍ତି । ଅଞ୍ଜୁଙ୍କ ଜନ୍ମ ଉତ୍ତରପ୍ରଦେଶର କାଲ୍ଲୋର ଗାଁରେ ହୋଇଥିଲା ଏବଂ ସେ ରାଜସ୍ଥାନର ଅଲୱର ଜିଲ୍ଲାରେ ରହୁଥିଲେ । ସେ ଏବେ ନିଜ ପାକିସ୍ତାନୀ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନର ଖୈବର ପଖତୁନଖ୍ୱାରରେ ଅଛନ୍ତି । ଅଞ୍ଜୁ ସୋମବାର ପାକିସ୍ତାନରୁ ନିଜର ଏକ ଭିଡିଓ ଜାରି କରି କହିଛନ୍ତି ଯେ ମୁଁ ଶୀଘ୍ର ଭାରତ ଫେରିବି । ଅଞ୍ଜୁ ଭିଡିଓରେ କହିଛନ୍ତି ମୁଁ ଭିଜା ନେଇ ପାକିସ୍ତାନ ଆସିଛି । ମୁଁ ଏଠାରେ ସୁରକ୍ଷିତ ଅଛି, ମୋତେ କୌଣସି ସମସ୍ୟା ନାହିଁ । ମୁଁ କିଛି ଦିନରେ ଭାରତ ଫେରିବି ।

ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପାକିସ୍ତାନ ଆସିଛି । ମୁଁ ଗଣମାଧ୍ୟମକୁ ଅପିଲ କରୁଛି ଯେ ମୋ ପିଲା ଓ ପରିବାରକୁ ହଇରାଣ ନକରାଯାଉ । ଅଞ୍ଜୁ ଲିଗାଲ ଭିଜା ଆଣି ପାକିସ୍ତାନ ଆସିଛନ୍ତି । ତାଙ୍କ ଭିଜା ଅବଧି ୨୦ ଅଗଷ୍ଟରେ ପୂରା ହେବା ପରେ ସେ ଭାରତ ଫେରିଯିବେ । ଏହି ସୂଚନା ଅଞ୍ଜୁଙ୍କ ପାକିସ୍ତାନୀ ମିତ୍ର ନସରୁଲ୍ଲା ସୋମବାର ଦେଇଛନ୍ତି । ଏଥିସହିତ ନସରୁଲ୍ଲା ଅଞ୍ଜୁଙ୍କ ସହ ପ୍ରେମ ସମ୍ପର୍କ ଖବରକୁ ଖାରଜ କରିଛନ୍ତି । ଖବର ସରବରାହ ସଂସ୍ଥା ପିଟିଆଇ ମୁତାବକ ନସରୁଲ୍ଲା କହିଛନ୍ତି ଯେ ସେ ଅଞ୍ଜୁଙ୍କୁ ବିବାହ କରିବା ନେଇ କୌଣସି ଯୋଜନା ନାହିଁ ।

ସେହିପରି ପାକିସ୍ତାନର ଦୀର ଜିଲ୍ଲାର ଏସପି କହିଛନ୍ତି ୨୧ ଅଗଷ୍ଟରେ ଅଞ୍ଜୁ ପାକିସ୍ତାନରୁ ଫେରିଯିବେ । ଆମେ ତାଙ୍କ ସୁରକ୍ଷାରେ ପୋଲିସ ମୁତୟନ କରିଛୁ । ନସରୁଲ୍ଲା ଏବଂ ଅଞ୍ଜୁଙ୍କ ବନ୍ଧୁତା ୨୦୧୯ରେ ଫେସବୁକ୍ ଜରିଆରେ ହୋଇଥିଲା । ନସରୁଲ୍ଲା କହିଛନ୍ତି ଅଞ୍ଜୁ ପାକିସ୍ତାନ ଆସିଛନ୍ତି ଏବଂ ଆମର ବିବାହ କରିବା ନେଇ କୌଣସି ଯୋଜନା ନାହିଁ । ସେ କହିଛନ୍ତି ଅଞ୍ଜୁ ମୋ ଘରେ ପରିବାରର ଅନ୍ୟ ମହିଳାଙ୍କ ସହ ଅନ୍ୟ ଏକ ଘରେ ରହୁଛନ୍ତି ।