ନିର୍ବାଚନ ପରେ ଅଧାରେ ଅଟକିଛି ପୋଲ କାମ, ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ରୁ ଉର୍ଦ୍ଧ୍ଵ ପଞ୍ଚାୟତବାସୀ

1 min read

ଛେଣ୍ଡିପଦା : ନିର୍ବାଚନ ପରେ ଅଧାରେ ଅଟକିଛି ପୋଲ କାମ । ପିଲର ନିର୍ମାଣ କରି ଠିକାଦାର ନାହିଁ ଦେଖାଦର୍ଶନ । ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ରୁ ଉର୍ଦ୍ଧ୍ଵ ପଞ୍ଚାୟତବାସୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ପତିତପାବନ ମହାବିଦ୍ୟାଳୟଠାରୁ ଉଗୀ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ବାଉରୀ ନାଳ ଉପରେ ଏକ ପୁରୁଣା ପୋଲ ଥିଲା । ପୂର୍ବ ସରକାର ସମୟରେ ଉକ୍ତ ପୋଲକୁ ଭଙ୍ଗା ଯାଇ ନୂତନ ପୋଲ ଓ ରାସ୍ତା କାମ ଆରମ୍ଭ ହୋଇଥିଲା l କିନ୍ତୁ ସରକାର ବଦଳିବା ପରେ କେବଳ ପିଲର ନିର୍ମାଣ କରି ଠିକାଦାର ଚମ୍ପଟ ମାରିଛି । ଫଳରେ ପୁରୁଣା ପୋଲରୁ ବାହାରିଥିବା ଭଙ୍ଗା ହୋମ ପାଇପରେ ବିପଦଶଙ୍କୁଳ ଭାବେ ଯାଆସ କରୁଛନ୍ତି ଲୋକେ । ହେଲେ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ପୋଲ କାମ ବନ୍ଦ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକେ ଦୁଇ କିଲୋମିଟର ଯିବା ପରିବର୍ତ୍ତେ ୧୬ କିଲୋମିଟର ବୁଲି ଯାଆସ କରୁଛନ୍ତି । ବିଦ୍ୟାଳୟ, କଲେଜ, ଡାକ୍ତରଖାନା, ଥାନା ଓ ଜରପଡା ବଜାରକୁ ଆସିବା ପାଇଁ ବହୁ ହଇରାଣ ହରକତ ହେଉଛନ୍ତି  l ସରକାର ଶୀଘ୍ର ପୋଲ କାମ ଆରମ୍ଭ ନକଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।