ବିଧାନସଭାରେ ରାଗିଲେ ତାରା, ଦଳର ଆଭିମୁଖ୍ୟକୁ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : ବିଧାନସଭାରେ ରାଗିଲେ ତାରା । ନିଶାଣରେ କାଡ଼ାମଙ୍କ ନେତୃତ୍ବ । ଗୃହରେ ଦଳର ଆଭିମୁଖ୍ୟକୁ ନେଇ ଝାଡ଼ିଲେ ଅସନ୍ତୋଷ । କାଡ଼ାମଙ୍କ ଜବାବ ଦଳର ଇଶାରାରେ କରୁଛି ରଣନୀତି । ମଙ୍ଗୁଆଳ ନାହାଁନ୍ତି । ଏପରିସ୍ଥିତିରେ ଯାହା ଜଣାପଡୁଛି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଗୃହରେ ଦଳର ଆଭିମୁଖ୍ୟକୁ ନେଇ  ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନିପତି । ପୋଲାଭରମ  ପ୍ରସଙ୍ଗରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବ୍ୟବସ୍ଥିତ ଢଙ୍ଗରେ ଗୃହରେ ପ୍ରସଙ୍ଗ ଉଠାଉନଥିବାରୁ  ଏହାକୁ ନେଇ ରାଗିଛନ୍ତି ତାରା । ସିଧା କଥା ହେଲା ବିଧାୟକ ଦଳର ନେତୃତ୍ବକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ବିଧାନସଭାରେ ଦଳର ଆଭିମୁଖ୍ୟରେ ଅବ୍ୟବସ୍ଥା ଦେଖାଦେଉଥିବା ତାରା ଅଭିଯୋଗ ଆଣି ଅଭିମାନ କରିଛନ୍ତି । ଏହାର ଜବାବରେ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଯେ ଦଳର ନିର୍ଦ୍ଦେଶକୁ ଗୃହରେ କାର୍ଯ୍ୟକାରୀ କରୁଛି । ତାରା କେଉଁଠଟି କଣ କହିଛନ୍ତି ମୁଁ ଜାଣି ନାହିଁ ।

କଂଗ୍ରେସ ବିଧାୟକ ଦଳ ଫାଟ ଏତେ ଉଗ୍ର ହୋଇଛି ଯେ  ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ କଂଗ୍ରେସ ବିଧାୟକ ପ୍ରକୋଷ୍ଠକୁ ମଧ୍ୟ ଯାଉନାହାନ୍ତି । ଗୃହରେ ଦଳର ନିର୍ବାଚିତ ୧୪ ଜଣ ବିଧାୟକ କିଏ କଣ କହିବ ତାହା ମଧ୍ୟ ସଠିକ ଭାବେ ନିର୍ଣ୍ଣୟ ହୋଇପାରୁନାହିଁ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି, ଆରମ୍ଭରୁ ବିଧାୟକ ଦଳ ଭିତରେ ଏକମତ ନାହିଁ । ଯାହାକୁ ବର୍ତ୍ତମାନ ପଦାକୁ ସ୍ପଷ୍ଟ ଫୁଟିକି ଦିଶିଲାଣି । ୫ ମାସ ହେବ ବିନା ମୁଖିଆରେ ଓଡ଼ିଶାରେ କଂଗ୍ରେସ ସଂଗଠନ ଚାଲିଛି । ଅନ୍ୟପଟେ ବିଧାୟକ ଦଳ ଭିତରେ ଫାଟ ସୃଷ୍ଟି ହେବା ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି ।