ବ୍ରେକଅପ କରିବା ଯୋଗୁ ପ୍ରେମିକାକୁ ବୀଭତ୍ସ ହତ୍ୟା

ନୂଆଦିଲ୍ଲୀ: ବ୍ରେକଅପ ଯୋଗୁ ବୀଭତ୍ସ ହତ୍ୟା । ଦିଲ୍ଲୀ ଶାହାବାଦରେ ନାବାଳିକା ହତ୍ୟାକାଣ୍ଡରେ ସାଂଘାତିକ ଖୁଲାସା କରିଛି ପୋଲିସ। ସାହିଲ ସହ ସମ୍ପର୍କ ଚାହୁଁ ନଥିଲେ ସାକ୍ଷୀ । ସମ୍ପର୍କ ତୁଟାଇବାରୁ ହତ୍ୟା କରିଛି ବୋଲି ପୋଲିସ ଆଗରେ କହିଛି ଅଭିଯୁକ୍ତ ସାହିଲ । ପୂର୍ବତନ ପ୍ରେମିକ ସହ ପୁଣି ଥରେ ସମ୍ପର୍କ ବଢ଼ିବା ଯୋଗୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ସାକ୍ଷୀଙ୍କୁ ହତ୍ୟା କରିବାକୁ ପୂର୍ବରୁ ଧମକ ମଧ୍ୟ ଦେଇଥିଲା ସାହିଲ ।

୨୦୨୧ ମସିହାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ହେଲେ ଗତ କିଛିଦିନ ହେବ ସାହିଲ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ସାକ୍ଷୀ । ଗତ ୧୫ ଦିନ ହେବ ସାକ୍ଷୀ ତାଙ୍କ ବନ୍ଧୁ ନିତୁଙ୍କ ଘରେ ରହୁଥିଲେ । ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନିତୁ ପୋଲିସକୁ କହିଛନ୍ତି। ବିଚ୍ ରାସ୍ତାରେ ଗର୍ଲଫ୍ରେଣ୍ଡକୁ ନୃଶଂସ ଭାବେ ହତ୍ୟା କରିଥିବା ସାହିଲକୁ ଆଜି ମେଡିକାଲ ଟେଷ୍ଟ ପାଇଁ ପଠାଇଛି ପୋଲିସ ।

ସେପଟେ ସାକ୍ଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ସାକ୍ଷୀଙ୍କ ଶରୀର ଓ ମୁଣ୍ଡରେ ୩୬ଟି କ୍ଷତ ଚିହ୍ନ ରହିଛି । ସାକ୍ଷୀଙ୍କ ହାତରେ ପ୍ରବୀଣ ନାଁରେ ଏକ ଟାଟୁ ମଧ୍ୟ ରହିଛି । ଯାହାକୁ ନେଇ ସାକ୍ଷୀ ଓ ସାହିଲ ମଧ୍ୟରେ ଝଗଡ଼ା ହୋଇଥିବା ପୋଲିସ ସନ୍ଦେହ କରୁଛି । ଦିଲ୍ଲୀ ଶାହାବାଦର ଏକ ଜନଗହଳିପୂର୍ଣ୍ଣ ଗଳି ଭିତରେ ସାକ୍ଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସାହିଲ। ୨୨ ଥର ଛୁରାମାଡ଼ ଓ ପରେ ପଥରରେ ମୁଣ୍ଡକୁ ଛେଚି ଦେବା ଯୋଗୁ ଘଟଣାସ୍ଥଳରେ ହିଁ ସାକ୍ଷୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ରାଜଧାନୀରେ ବାରମ୍ବାର ଏଭଳି ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସିପିଆଇଏମ ନେତ୍ରୀ ସୁବାଷିନୀ ଅଲ୍ଲୀ। ସେ କହିଛନ୍ତି, ଦିଲ୍ଲୀର ଆଇନଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। ୨୮ ତାରିଖରେ ହତ୍ୟାକାଣ୍ଡ ଘଟିଥିବା ବେଳେ ସେଦିନ ଦିଲ୍ଲୀ ପୋଲିସ ରେସଲରଙ୍କୁ ଗିରଫ କରିବାର ବ୍ୟସ୍ତ ଥିଲା। ଅଧା ପୋଲିସ ଦିଲ୍ଲୀ ସୀମାରେ ରେସଲରଙ୍କ ସମର୍ଥକଙ୍କୁ ଅଟକାଉଥିବା ବେଳେ ଅଧା ପୋଲିସ ନୂଆ ସଂସଦ ଭବନ ସୁରକ୍ଷାରେ ମୁତୟନ ହୋଇଥିଲେ। ଦିଲ୍ଲୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ନଦେଇ ନ୍ୟାୟ ମାଗୁଥିବା ରେସଲରଙ୍କୁ ଗିରଫ କରିବାପାଇଁ ପୂରା ପୋଲିସ ଫୋର୍ସ ଲାଗି ପଡ଼ିଥିଲା ବୋଲି କହିଛନ୍ତି ସୁବାଷିନୀ ଅଲ୍ଲୀ ।