ଅଙ୍ଗନବାଡି ଖାଦ୍ଯ ସାମଗ୍ରୀ ଯୋଗାଣରେ ବଡ ଘୋଟାଲା ଅଭିଯୋଗ

1 min read

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନବାଡି ଖାଦ୍ୟ ସାମଗ୍ରୀ ଯୋଗାଣରେ ବଡ ଘୋଟାଲା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ତଳଠୁ ତାଳୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ ବାରିଛନ୍ତି ହିତାଧିକାରୀ । ଅଙ୍ଗନବାଡି ଛତୁଆରେ ଘୋଟାଲା ପରେ ଏବେ ସମନ୍ଵିତ ଶିଶୁ ବିକାଶ ଯୋଜନାରେ ଆସୁଥିବା ଖାଦ୍ୟ ବଣ୍ଟନରେ ବି କେଳେଙ୍କାରୀ । ଠିକା ସଂସ୍ଥାକୁ ବିଭାଗୀୟ ଅଧିକାରୀ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ଖାଦ୍ଯ ସାମଗ୍ରୀ ଯୋଗାଣରେ ବଡ ଘୋଟାଲା । ଭଦ୍ରକ ଚାନ୍ଦବାଲି ବ୍ଲକରେ ତଳଠୁ ତାଳୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ । ଅଙ୍ଗନବାଡି ଛତୁଆ ଦୁର୍ନୀତିର ତଥ୍ୟ ଖୋଳୁ ଖୋଳୁ ମିଳିଲା ଆଉ ଏକ ଖାଦ୍ୟ କେଳେଙ୍କାରୀ । ଏମଏସପିୱାଇ ଯୋଜନା ଅର୍ଥାତ ଗର୍ଭବତୀ ଓ କିଶୋରୀ ବାଳିକାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି  ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ପ୍ରତି ଗର୍ଭବତୀ ,ପ୍ରସୂତି ଓ କିଶୋରୀ ବାଳିକା ମାନଙ୍କୁ ପ୍ରତି ମାସରେ ଖଜୁରୀକୋଳି ,ଲଡୁ,ମୁଢି ଓ ଭଜା ବୁଟ ଦିଆଯାଉଛି । ନିୟମ ଅନୁସାରେ, ଠିକା ନେଇଥିବା ସଂସ୍ଥା ପ୍ରତି ମାସ ଶେଷ ସପ୍ତାହରେ ଅଙ୍ଗନବାଡି କେନ୍ଦ୍ରରେ ସାମଗ୍ରୀ ପହଞ୍ଚାଇବେ ।  କର୍ମୀମାନେ ପ୍ରତି ମାସ ୧ ତାରିଖରେ ହିତାଧିକାରୀଙ୍କୁ ସାମଗ୍ରୀ ପ୍ରଦାନ କରିବେ । କିନ୍ତୁ ନିୟମକୁ ଫୁ’ କରି ନିର୍ଦ୍ଧାରିତ ସମୟର ୧୫ ଦିନ ପରେ ବି ଅଙ୍ଗନବାଡିରେ ପହଞ୍ଚୁନି ଖାଦ୍ୟ ସାମଗ୍ରୀ । ଆଉ ଯାହା ବି ପହଁଚୁଛି ତାହା ନିମ୍ନ ମାନର ସାଙ୍ଗକୁ ଓଜନରେ କମ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଚାନ୍ଦବାଲି ବ୍ଲକର ସିଡିପିଓ-୧ ଙ୍କ ଅଧୀନରେ ୨୨୦ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିରୁ ୧୬ ଟି ପଂଚାୟତରେ ମଧୁବାବୁ ସ୍ଵୟଂସହାୟକ ଗୋଷ୍ଠୀ ଏମଏସପିୱାଇ ଯୋଜନାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ଦାୟିତ୍ୱ ନେଇଛନ୍ତି । ଏ ବାବଦରେ ସରକାର ମାସକୁ ୧୦ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରୁଛନ୍ତି ।କିନ୍ତୁ ଅନେକ ସ୍ଥାନରେ ସଠିକ ସମୟରେ  ଖାଦ୍ୟ ମିଳୁନଥିବା ବେଳେ ଯେଉଁଠି ବି ମୁଢି ,ବୁଟ ପ୍ରଦାନ କରାଯାଇଛି ତାହା ନିର୍ଦ୍ଧାରିତ ଓଜନ ଠାରୁ ବହୁତ କମ୍ ରହୁଛି ।

ବୁଟ ପ୍ୟାକେଟରେ ନା ରହୁଛି ଓଜନର ପରିମାଣ ନା ରହିଛି ତାରିଖ । କେବଳ ବୁଟ ନୁହେଁ ଛତୁଆ, ସୁଜି, ମୁଢି ଆଦି ପ୍ୟାକେଟର ଓଜନ ନିର୍ଦ୍ଧାରିତ ଓଜନ ଠାରୁ ବି କମ ରହୁଛି । ଯାହା ପ୍ୟାକେଟ ଓଜନର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏସବୁ ଯାଞ୍ଚ କରିବାକୁ ପ୍ରତି ୨୦ରୁ ୨୫ ଟି ଅଙ୍ଗନବାଡି କେନ୍ଦ୍ରରେ ଜଣେ ଜଣେ ସୁପରଭାଇଜର ରହିଛନ୍ତି । ହେଲେ ସେମାନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ ଯୋଜନାକୁ ବାଟବଣା କରି ଅର୍ଥ ହଡପ କରିବାରେ ଉପରଠୁ ତଳ, ସବୁ ଲାଗି ପଡିଥିବା ନେଇ ଅଭିଯୋଗ ହେଇଛି ।