spot_img

Latest Posts

ଅବ୍ୟବସ୍ଥା ଘେରରେ ନିମାପଡ଼ା ବାମନାଳ ପଞ୍ଚାୟତ ହରିଜନ ସାହି ଅଙ୍ଗନବାଡି କେନ୍ଦ୍ର

ନିମାପଡ଼ା : ଭଙ୍ଗା ଦଦରା ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ଦେଖନ୍ତୁ ଏ ଦୃଶ୍ଯ କିପରି ଛାତରୁ ପ୍ଲାଷ୍ଟର ଖସି ରଡ ଦେଖାଗଲାଣି । କାନ୍ଥରୁ ଖସିପଡିଲାଣି ପ୍ଲାଷ୍ଟର । କେତେବେଳେ ଯେ କିଛି ଅଘଟଣ ଘଟିବ ତାହା କେହି କହିପାରିବେ ନାହିଁ । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ଯ ନୁହେଁ । ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାମନାଳ ପଞ୍ଚାୟତ ହରିଜନ ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ରର । ଏଠି ନାହିଁ ନାହିଁରେ ଚାଲିଛି ଶିକ୍ଷାଦାନ । ଏଠାରେ ପାଠପଢୁଛନ୍ତି ୨୨ରୁ ଅଧିକ କୋମଳମତି ଶିଶୁ । ସୂଚନା ମୁତାବକ ଏହି ଗାଁରେ ଦୀର୍ଘଦିନ ହେବ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଗାଁର କୋଠ ଘରେ ଚାଲିଆସୁଛି ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ଶୋଚନୀୟ ଥିବାରୁ ବର୍ଷା କି ହାଲୁକା ପବନ ହେଲେ ପିଲାଙ୍କ ସୁରକ୍ଷା ପାଇଁ ଅଙ୍ଗନବାଡି କେନ୍ଦ୍ର ଛୁଟି କରିବାକୁ ପଡୁଛି । ଭୟଭୀତ ଅବସ୍ଥାରେ ଅଙ୍ଗନବାଡି ଦିଦି ପିଲାମାନଙ୍କୁ ପାଠ ପଢାଉଛନ୍ତି ।

ଏହି ଅଙ୍ଗନବାଡି କେନ୍ଦ୍ରରେ ସ୍ଥାନ ଅଭାବ ଯୋଗୁଁ ଶିଶୁମାନଙ୍କ ପାଇଁ ରୋଷେଇ କରିବାରେ ଉପୁଜୁଛି ସମସ୍ଯା । ସମସ୍ଯା ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ପୂର୍ବ ସରକାର ସମୟରେ ନୂତନ ଗୃହ ପାଇଁ ଅନୁଦାନ ରାଶି ଦିଆ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନୂତନ ଗୃହଟିଏ  ନିର୍ମାଣ ହୋଇପାରିନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ଏବଂ ଅଭିଭାବକ ମାନେ। ତେବେ କେବେ ସମ୍ପୂର୍ଣ୍ଣ ହେବ ବାମନାଳର ନୂତନ ଅଙ୍ଗନବାଡି କେନ୍ଦ୍ର ? କେବେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ପିଲାଏ ପାଠ ପଢ଼ିବେ ?  ଏହାରି ଭିତରେ ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଜନ ସାଧାରଣ ପ୍ରଶ୍ନ କରିଛନ୍ତି। ସେପେଟ ଖୁବ୍ ଶୀଘ୍ର ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି ଦିଦି ।

Latest Posts

Don't Miss