କର୍ମଫଳ : ମନ୍ଦିର କାନ୍ଥ କଣାକରି ପଶିଥିଲା ଚୋର…

 ହାଇଦ୍ରାବାଦ: କୁହାଯାଏ ଯେମିତି କର୍ମକୁ ସେମିତି ଫଳ ।  ଆଉ ଏହି କଥା ସତ ବୋଲି ପ୍ରମାଣିତ ହୋଇଛି । ବାସ୍ତବରେ ଆନ୍ଧ୍ରପ୍ରଦେଶରେ ଏକ ଚୋର ମନ୍ଦିରରୁ ସୁନା ଅଳଙ୍କାର ଚୋରି କରିବା ପାଇଁ ମନ୍ଦିର କାନ୍ଥକୁ କଣା କରିଥିଲା । କିନ୍ତୁ ତା ଦୁର୍ଭାଗ୍ୟ ସେ ନିଜେ ସେହି ମଧ୍ୟରେ ଫସିଗଲା ।  ରକ୍ଷା ପାଇବା ପାଇଁ ଚିତ୍କାର କରି ଡାକିଲା । ଆଖପାଖରେ ଥିବା ଲୋକ ଦୌଡ଼ି ଆସିଲେ । ସତ କ’ଣ ସମସ୍ତଙ୍କ ସାମ୍ନାରେ ଥିଲା ।

ପାପା ରାଓ ନାମକ ଜଣେ ଚୋର  ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ଜାମି ୟେଲମ୍ମା ମନ୍ଦିରର ଝରକା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲା । ଭଗବାନଙ୍କ ମୂର୍ତ୍ତିରେ ଆଭୂଷିତ ଅଳଙ୍କାରକୁ ଚୋରି ମଧ୍ୟ କଲା । ଶେଷରେ ଯେତେବେଳେ ଚୋରି ଅଳଙ୍କାର ନେଇ ବାହାରକୁ ଆସିବାକୁ ଉଦ୍ୟମ କଲା, କାଳ ତା ଉପରେ ମାଡ଼ି ବସିଲା । ଅର୍ଥାତ୍‌  କାନ୍ଥରେ ନିଜେ କରିଥିବା କଣା ମଧ୍ୟରେ ଫସିଗଲା ।

ଅନେକ ସମୟ ବାହାରିବାକୁ ସଂଘର୍ଷ କରି ମଧ୍ୟ ବାହାରିବାରେ ସମର୍ଥ ହେଲାନାହିଁ । ଶେଷକୁ ଚିତ୍କାର କରି ଆଖପାଖ ଲୋକଙ୍କୁ ସାହାଯ୍ୟ ମାଗିଲା । ଏହାପରେ ସେଠାରେ ଗାଁ ଲୋକ ଆସି ଜମା ହୋଇଗଲେ । ସ୍ଥାନୀୟ ଲୋକ ତାକୁ ସେଠାରୁ ବାହାର ତ କରିଦେଲେ, କିନ୍ତୁ କର୍ମଫଳ ଯିବ କୁଆଡ଼େ ? ଶେଷରେ ଗାଁ ଲୋକ ତାକୁ ପୋଲିସ୍‌ ଜିମାରେ ଦେଇଦେଲେ ।

ତେବେ ଏହିଭଳି ସମାନ ଘଟଣା ଗତବର୍ଷ ଅପ୍ରେଲରେ ଛତିଶଗଡ଼ରେ ଦେଖିବାକୁ ମିଳିଥିଲା ।       ଦୁଇ ଜଣ ଚୋର ଶ୍ରୀ ସିଦ୍ଧ ବଟେଶ୍ୱର ମନ୍ଦିରକୁ ଚୋରି କରିବାକୁ ଯାଇଥିଲେ । ସେମାନେ ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କଲେ ଏବଂ ଡୋନେସନ ବକ୍ସରୁ ଚୋରି କରିବାକୁ ଉଦ୍ୟମ କଲେ ।  ସେହି ସମୟରେ ଏକ ଚୋରର ହାତ ଡୋନେସନ୍‌ ବକ୍ସ ମଧ୍ୟରେ ଫସିଗଲା । ତା ପରଦିନ ମନ୍ଦିରର ପୂଜାରୀ ତାକୁ ସେଠାରେ ଏଭଳି ଅବସ୍ଥାରେ ଦେଖି ରକ୍ଷା କରିଥିଲେ ଏବଂ ପୋଲିସ ଜିମାରେ ଦେଇଥିଲେ ।

ଅନ୍ୟପଟେ  ମଧ୍ୟପ୍ରଦେଶର ବିଜନୌରରେ ଗତବର୍ଷ ଏପ୍ରିଲରେ ମଧ୍ୟ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ।  ଜଣେ ଚୋର ତା ବନ୍ଧୁ ସହ ଏକ ସର୍ଭିସିଂ ସେଣ୍ଟର ଯାଇଥିଲା ଚୋରି କରିବାକୁ । ଦୁଇ ଜଣ ମିଶି ୭ ଲକ୍ଷ ଚୋରି ମଧ୍ୟ କରିଥିଲେ । କିନ୍ତୁ ଚୋରି ଟଙ୍କା ଥିଲା ତାଙ୍କ କଳ୍ପନା ବାହାରେ । ଦୁଇଜଣ ଭାବିଥିଲେ ମାତ୍ର କିଛି ହଜାର ଟଙ୍କା ମିଳିବ । କିନ୍ତୁ ସାମ୍ନାରେ ଏତେ ଟଙ୍କା ଦେଖି ସେମାନଙ୍କ ହୋଶ୍‌ ଉଡ଼ିଗଲା । ସେହି ମଧ୍ୟରୁ ଜଣେ ଚୋରକୁ ହାର୍ଟ ଆଟାକ୍‌ ଆସିଲା, କାରଣ ତା ଜୀବନରେ ସେ କେବେ ମଧ୍ୟ ଏତେ ଟଙ୍କା ଦେଖି ନଥିଲା । ଶେଷରେ ସେହି ଚୋରି ଟଙ୍କାରେ ତା’ର ଚିକିତ୍ସା ତ ହେଲା କିନ୍ତୁ ପୋଲିସ ଉଭୟଙ୍କୁ ଗିରଫ କଲା ।