ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଅଘଟଣ, ୭ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତେଲଗୁ ଦେଶମ ପାର୍ଟି (ଟିଡିପି)ର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ ଶୋ’ରେ ଅଘଟଣ । ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟାରେ ଚନ୍ଦ୍ରବାବୁ ନାଇଡୁ ନେଲ୍ଲୋର ଜିଲ୍ଲା କୁନ୍ଦୁକୁରରେ ଏକ ରୋଡ ଶୋ’ କରୁଥିଲେ । ଯେତବେଳେ ଶୋଭଯାତ୍ରା ଗୁଡମ ସିୱେଜ କେନାଲ ପାର କରୁଥିଲା, ସେହି ସମୟରେ ଅନେକ କର୍ମୀ କେନାଲକୁ ଖସିପଡ଼ିଥିଲେ ।

ଯାହାଫଳରେ ତିନି ଜଣ ହିଁ ଘଟଣାସ୍ଥଳରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ଅନ୍ୟ ଦୁଇ ଜଣଙ୍କୁ ହସ୍ପିଟାଲ ନେବା ସମୟରେ ମୃତ୍ୟୁ ହୋଇଯାଇଛି । ସେହିପରି ମେଡିକାଲରେ ଅନ୍ୟ ଦୁଇ ଜଣ ପ୍ରାଣତ୍ୟାଗ କରିଥିବା ସୂଚନା । ଅନ୍ୟପକ୍ଷରେ ୬ ଜଣଙ୍କ ଚିକିତ୍ସା ଚାଲିଛି, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହଜାର ହଜାର ସମର୍ଥକ ଚନ୍ଦ୍ରବାବୁ ନାଇଡୁଙ୍କୁ ସ୍ୱାଗତ କରିବା ପାଇଁ ଏକଜୁଟ ହୋଇଥିଲେ, ସେମାନଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା ।

ଭିଡ଼ରୁ ବଞ୍ଚିବା ପାଇଁ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଯାହାଫଳରେ ନିୟନ୍ତ୍ରଣ ହରାଇ ଅନେକ ଲୋକ ପାଖରେ ଥିବା ମୁକୁଳା ଡ୍ରେନକୁ ଖସିପଡିଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା ସୂଚନା । ଘଟଣାର ତୁରନ୍ତ ପରେ ଶ୍ରୀ ନାଇଡୁ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଦେଇଥିଲେ । ସେ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ଏବଂ ମୃତକଙ୍କ ପିଲାଙ୍କ ପାଠ ପଢ଼ା ଦାୟିତ୍ୱ ନେବାକୁ ମଧ୍ୟ ଘୋଷଣା କରିଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ଦଳୀୟ ନେତାମାନଙ୍କୁ ମଧ୍ୟ କହିଛନ୍ତି ।