spot_img

Latest Posts

ଓଡ଼ିଶା ସୀମା ଅକ୍ତିଆରରେ ମାତିଛି ଆନ୍ଧ୍ର: ନନ୍ଦପୁର ରାଇପାହାଡ଼ ଅଞ୍ଚଳରେ ଲଗାଚାଲିଛି ବିଦ୍ୟୁତ ମିଟର

ଭୁବନେଶ୍ବର: ଓଡ଼ିଶା ଦଖଲ ପାଇଁ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢାଉଛି ଆନ୍ଧ୍ର । କେବେ କୋଟିଆକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛି ତ କେତେବେଳେ ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡକୁ ଟାଣୁଛି । କେତେବେଳେ ଚାଉଳ ତ କେତେବେଳେ ଅଧାର କାର୍ଡ ଦେଇ ଯୋଜନାରେ ଅର୍ନ୍ତଭୂକ୍ତ କରୁଛି । ଏବେ ରାଜ୍ୟର ବିଜୁଳି କ୍ଷେତ୍ରକୁ ମଧ୍ୟ ନିଜ କବଜାକୁ ନେବା ଆରମ୍ଭ କରିଛି ଆନ୍ଧ୍ର । ହେଲେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଜନ ସଙ୍ଗଠନ । ଓଡ଼ିଶାର କୋରାପୁଟ ଜିଲ୍ଲା ନନ୍ଦପୁର ରାଇପାହାଡ଼ ଅଞ୍ଚଳରେ ଆନ୍ଧ୍ର ବିଦ୍ୟୁତ ମିଟର ଲଗାଇବା ପ୍ରକ୍ରିୟାକୁ ଜୋରଦାର କରିଛି। ଯାହାକୁ ନେଇ ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ପଡୋଶୀ ରାଜ୍ୟଙ୍କ ତରଫରୁ ଯେଉଁ ଉପଦ୍ରବ ଓ ଜବରଦଖଲ ଆରମ୍ଭ ହୋଇଛି ତାକୁ ନେଇ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛି ମହାସଂଘ । ଘଟଣାକୁ ରାଜ୍ୟ ସରକାରଙ୍କ ଅଣ ଦେଖା ଓ ଆନ୍ଧ୍ରର ମନମାନିକୁ ନେଇ ଆଗକୁ ବଡ଼ ଧରଣର ଆନ୍ଦୋଳନର ଚେତାବନୀ ଦେଇଛି ମହାସଂଘ। ସେପଟେ ଲଗାତର ଆନ୍ଧ୍ରର ଏଭଳି ଉଦ୍ୟମ ବିରୋଧରେ ସରକାର କଠୋର ହେବା କଥା ବୋଲି କହିଛି ଉତ୍କଳ ସମ୍ମିଳନୀ। ଓଡ଼ିଶାର ଅସ୍ମିତା ବଞ୍ଚାଇବାକୁ ରାଜ୍ୟ ସରକାର ଦୃଢ଼ ଓ ଶକ୍ତ ହେବା ଆବଶ୍ୟକ।

ଓଡ଼ିଶାର ସୀମାନ୍ତବର୍ତ୍ତି ଗାଁ ଗୁଡିକର ପରିସ୍ଥିତି ଅତି ଜଟିଳ । ଓଡ଼ିଶା ସରକାରଙ୍କ ପାଖରେ ଖବର ନାହିଁ କିମ୍ବା ତତ୍ପରତା ନାହି ବୋଲି କହିଛି ବିଜେଡି। ଓଡ଼ିଶାରେ ଆନ୍ଧ୍ର ବିଜୁଳି ମିଟର ଲଗାଇବାକୁ କେବେ ବି ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡି କହିଛି । କଂଗ୍ରେସର କହିବା କଥା ବିଜେପି କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ ସୀମା ସମସ୍ୟାକୁ ସମାଧାନ କରିବେ ବୋଲି । କିନ୍ତୁ ଏବେ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ପଡୋଶୀ ରାଜ୍ୟ ଓଡ଼ିଶାର ଅଞ୍ଚଳକୁ ଦଖଲ କରୁଛନ୍ତି । ଆନ୍ଧ୍ର ଓଡ଼ିଶାରେ ମିଟର ଲଗାଉଛି ମାନେ ସେ ଓଡ଼ିଶାର ଅଞ୍ଚଳ ଦଖଲ କରିନେଲାଣି । ଲୋକେ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତି। ତୁରନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଦାବି କରିଛି କଂଗ୍ରେସ। ଓଡ଼ିଶାର ସୀମା, ଭାଷା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସରକାରଙ୍କ ଦାୟିତ୍ୱ । କିନ୍ତୁ ଏସବୁ କିଛି ହେଉ ନାହିଁ ବୋଲି ଅଭିଯୋଗ ଆଣିଛି ସିପିଆଇଏମ।

ଓଡିଶା ବିଜେପି ସରକାରଙ୍କ ଦୁର୍ବଳତାକୁ ଦେଖି କାଣି ବିଲେଇ ଉପରେ ଅସରପା ଭାଉ ଦେଖାଇବା ନ୍ୟାୟରେ ଆନ୍ଧ୍ର ଓ ଅନ୍ୟ ପଡୋଶୀ ରାଜ୍ୟଗୁଡିକ ଓଡିଶାକୁ ଦଖଲ କରିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ସେପଟେ ବିରୋଧୀ ଯେତେ ଗର୍ଜିଲେ ମଧ୍ୟ ବିଜେପି ସରକାର ଚୁପ ରହୁଥିବାରୁ ଓଡ଼ିଶାର ଭାଗ୍ୟ କଣ ହେବ ତାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ।

Latest Posts

Don't Miss