ପୋଲାଭରମ ପ୍ରକଳ୍ପ ସାରିବାକୁ ରାତି ଦିନ ଏକ କରି ଦେଇଛି ଆନ୍ଧ୍ର, ତୁଣ୍ଡି ବାନ୍ଧି ବସିଛନ୍ତି ଓଡ଼ିଶା ସରକାର

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ ସାରିବାକୁ ରାତି ଦିନ ଏକ କରି ଦେଇଛନ୍ତି ଆନ୍ଧ୍ର ସରକାର । କେନ୍ଦ୍ର ସରକାର ମଧ୍ୟ ବିନା ପ୍ରଶ୍ନରେ ସବୁ ସହାୟତା ଅଜାଡି ଦେଉଛନ୍ତି । ପ୍ରକଳ୍ପର ନୂଆ ଡାୟାଫ୍ରାମ ବନ୍ଧ ତୁରନ୍ତ ସାରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପର ପରିବର୍ତ୍ତିତ ଡିଜାଇନରେ ଓଡିଶା ଅଧିକ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଓଡ଼ିଶାର ବିଜେପି ସରକାରଙ୍କ ନିଘା ନାହିଁ । ବାରମ୍ବାର ରାଜନୈତିକ ସ୍ତରରୁ ଆରମ୍ଭ କରି ବିଭିନ୍ନ ଜନ ସଂଗଠନ ପୋଲାଭରମ ନେଇ ଦାବି କଲେ ମଧ୍ୟ ରାଜ୍ୟର ବିଜେପି ସରକାର ପୂରା ଚୁପ, ଯାହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି ।

ଆନ୍ଧ୍ରରେ ବିଜେପିର ସହଯୋଗୀ ଟିଡିପି ସରକାର ଆସିବା ପରେ ରକେଟ ବେଗରେ ପୋଲାଭରମ ପ୍ରକଳ୍ପର କାମ ଚାଲିଛି । ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରି ନୂଆ ଡାଏଫ୍ରାମ ବନ୍ଧ ନଭେମ୍ବର ୨୦୨୫ ଭିତରେ ସାରିବାକୁ ଆନ୍ଧ୍ର ସରକାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ଏହି ବନ୍ଧ କାର୍ଯ୍ୟ ସାରି ତୁରନ୍ତ ପ୍ରକଳ୍ପର ମୁଖ୍ୟ ଡ୍ୟାମ କାମ ଆରମ୍ଭ କରିବା ଓ ୨୦୨୭ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ସରକାର । ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ କରୁଥିବା ବେଳେ ବିଦେଶୀ ବିଶେଷଜ୍ଞ, କେନ୍ଦ୍ରୀୟ ଜଳ କମିଶନ ଓ ଅନ୍ୟ ବିଶେଷଜ୍ଞଙ୍କ ଅକୁଣ୍ଠ ସହଯୋଗ ମଧ୍ୟ ମିଳୁଛି ।

ସମସ୍ଯା ହେଉଛି, ଏହି ପୋଲାଭରମ ପ୍ରକଳ୍ପରେ ଓଡ଼ିଶାର ବହୁତ କ୍ଷତି ହେଉଛି । ଏତେ କ୍ଷତି ଯେ, କହିଲେ ନ ସରେ । ତଥାପି ରାଜ୍ୟର ବିଜେପି ସରକାର ଆଦୌ ଚିନ୍ତିତ ନୁହନ୍ତି । ପ୍ରଭାବିତ ହେବାକୁ ଥିବା ମାଲକାନଗିରିର ମୋଟୁ ଅଞ୍ଚଳ ବାସିନ୍ଦା ହୁଅନ୍ତୁ ବା ରାଜନୈତିକ ଦଳ ଅବା ବିଭିନ୍ନ ସଂଗଠନ, ସରକାରଙ୍କୁ ଚେତାଇବାକୁ ଅନେକ ହାରି ଗୁହାରୀ ଅଭିଯୋଗ ଶୁଣାଇଛନ୍ତି । ତଥାପି ନିଦା ବିଷ୍ଣୁ ସାଜିଛନ୍ତି ରାଜ୍ୟର ବିଜେପି ସରକାର । ଏପରିକି ଓଡି଼ଶାର କେତେ କ୍ଷତି ହେବ, କ’ଣ କ୍ଷତି ହେବ, ତାର ଏକ ପୁଙ୍ଖାନୁପୁଙ୍ଖ ଆକଳନ ମଧ୍ଯ କରାଯାଇ ନଥିବାର ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛନ୍ତି ମାଲକାନଗିରିର ପ୍ରମୁଖ ବ୍ୟକ୍ତି ବିଶେଷ, ଜାତୀୟ ସ୍ତରର ଜଳ ବିଶେଷଜ୍ଞ ଓ ପ୍ରମୁଖ ରାଜନୈତିକ ଦଳ ।

ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରିର ବହୁ କ୍ଷତି ହେବ । ନିୟମ ଅନୁଯାୟୀ କୌଣସି ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ କିମ୍ବା ଅଞ୍ଚଳ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଏ । କିନ୍ତୁ ପୋଲାଭରମ କ୍ଷେତ୍ରରେ ଓଡିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ତଥାପି ରାଜ୍ୟର ବିଜେପି ସରକାର କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନାହାନ୍ତି କିମ୍ବା ଆନ୍ଧ୍ର କି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁ ନାହାନ୍ତି । ଏ ସମୟରେ ପୂର୍ବ ବିଜେଡି ସରକାରକୁ ମନେ ପକାଉଛନ୍ତି ଲୋକେ । ମାଲକାନାଗିରିର ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବାକୁ ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ଗୁରୁପ୍ରିୟା ସଂପୂର୍ଣ୍ଣ କରିଥିଲେ ନବୀନ ସରକାର । ସ୍ଵାଭିମାନ ଅଞ୍ଚଳର ବ୍ୟାପକ ଉନ୍ନତି କରିଥିଲେ । ଏବେ ସେସବୁ ଅଞ୍ଚଳ ଉଜୁଡିବାକୁ ଯାଉଛି । କିନ୍ତୁ ବିଜେପି ସରକାର କାହିଁକି ଚୁପ ବୋଲି ପ୍ରଶ୍ନ ଉଠିଛି । ବିଜେପିକୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି କହିଛି ସିଟିଜେନସ ଫୋରମ ।

ପୋଲାଭରମ ପ୍ରସଙ୍ଗକୁ ନେଇ ବିଜେଡି ସରକାର ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ, ସବୁ ସ୍ତରରେ କଥା ଉଠାଇ ଥିଲା । ଏବେ ବିରୋଧୀ ଦଳରେ ରହି ବିଜେଡି ଏ ପ୍ରସଙ୍ଗରେ ଲଢେଇ ଜାରି ରଖିଛି । ଅନ୍ୟ ସଂଗଠନ ବି ରାଜ୍ୟର ସ୍ଵାର୍ଥ ରକ୍ଷା ପାଇଁ ବାରମ୍ଵାର ପାଟି ଫିଟାଉଛନ୍ତି । କିନ୍ତୁ ଶାସକ ଦଳ ବିଜେପି ଓ ରାଜ୍ୟ ସରକାର ପାଟି ବନ୍ଦ କରି ରହିଥିବାରୁ ତେଜୁଛି ଅସନ୍ତୋଷ ।