ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୋଲାଭରମ ଡ୍ୟାମ ନିର୍ମାଣ: ଓଡ଼ିଶାର କ୍ଷତି ହେଉଛି, କିନ୍ତୁ ରାଜ୍ୟ ସରକାର ଚୁପ୍ କାହିଁକି?

1 min read

ଆନ୍ଧ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପୋଲାଭରମ ଡ୍ୟାମ ତିଆରି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରକୁ ତୁରନ୍ତ ଅର୍ଥରାଶି ପ୍ରଦାନ ପାଇଁ ଦାବି କରିଛନ୍ତି। ୨୦୨୭ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଯୋଜନା ଚାଲିଛି। ଆନ୍ଧ୍ର ସରକାର ନିଜର ଲାଭ ପାଇଁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଚାଲିଛନ୍ତି। ଯାହାକୁ ନେଇ ଓଡ଼ିଶାର ଜଳ ବିଶେଷଜ୍ଞଙ୍କ ସମେତ ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଅନ୍ୟ ସଂଗଠନ ରାଜ୍ୟର ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ଓଡ଼ିଶାର କ୍ଷତି ପହଞ୍ଚାଉ ଥିବା ପୋଲାଭରମ ପ୍ରକଳ୍ପ ସହ ଆନ୍ଧ୍ର ସରକାର ଆହୁରି ଅନେକ ପ୍ରକଳ୍ପ କରୁଛନ୍ତି। କିନ୍ତୁ ଓଡିଶା ସରକାର କାହିଁକି ଚୁପ ବୋଲି ପ୍ରଶ୍ନ ଉଠିଛି। ଗୋଦାବରୀ ନଦୀର ଅଧିକା ବନ୍ୟା ଜଳକୁ ପୋଲାଭରମ ଦକ୍ଷିଣ କେନାଲରେ କ୍ରିଷ୍ଣା ନଦୀ ଦକ୍ଷିଣରେ ଥିବା ବୋଲାପଲ୍ଲୀ ଠାରେ ବୃହତ ଜଳଭଣ୍ଡାର କରି ବନକଚେରଲା ଗ୍ରାମ ପର୍ଯ୍ୟନ୍ତ ନେଇ ଭାରତର ସର୍ବ ବୃହତ ଜଳସେଚନ ଯୋଜନା କରିବାକୁ ଆନ୍ଧ୍ର ଅଣ୍ଟା ଭିଡିଛି।

କେନ୍ଦ୍ର ସରକାରଙ୍କୁ ଏସବୁ କରିବାକୁ ପ୍ରସ୍ତାବ ଦେବା ସହ ଅର୍ଥ ପାଇଁ ଚାପ ସୃଷ୍ଟି କରୁଛନ୍ତି। ଭାରତର ଜଳଶକ୍ତି ମନ୍ତ୍ରାଳୟ ସହ ଆଲୋଚନା କରି ପୋଲାଭରାମ ବାମ ଓ ଡାହାଣ କେନାଲର ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ଦାବି କରିଛନ୍ତି। ପୋଲାଭରାମ ଯୋଜନା ଅଟକଳ ୫୫ ହଜାର କୋଟି ହୋଇଥିବାବେଳେ ଗୋଦାବରୀ-ବନକଚେରଲା ଯୋଜନା ଅଟକଳ ୮୮ ହଜାର ୧୧୨ କୋଟି। ତେବେ ଓଡ଼ିଶାର ପ୍ରସ୍ତାବିତ ମହାନଦୀ-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପାଇଁ ୫୦ ହଜାର କୋଟି ଟଙ୍କାର ଯୋଜନାକୁ କେବେ ମଞ୍ଜୁରୀ ମିଳିବ ବୋଲି ଜଳ ବିଶେଷଜ୍ଞ ବିଜେପି ସରକାରକୁ ପ୍ରଶ୍ନ କରିଛନ୍ତି। ଏ ବିଷୟରେ ଓଡିଶା ସରକାର ଆଗଭର ହେବା ଉଚିତ। ଋଷିକୂଲ୍ୟା ଅଞ୍ଚଳ ଏବେବି ମରୁଡ଼ି ପ୍ରପୀଡ଼ିତ। ତେଣୁ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର କ୍ଷତିର ତୁରନ୍ତ ଆକଳନ ଓ ଓଡ଼ିଶାରେ ନୂଆ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ ହେବ ସେନେଇ ରାଜ୍ୟ ବିଜେପି ସରକାର କେନ୍ଦ୍ର ପାଖରେ ଦାବି ରଖୁ ବୋଲି କହିଛନ୍ତି।

ନଜର ପକାନ୍ତୁ