ଚରମ ସୀମାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ମାଟିରେ ମିଶାଇ ଦେଲେ ଶହ ଶହ ଗଛ

ଆନନ୍ଦପୁର : ମାଟିରେ ମିଶାଇ ଦେଲେ ଶହ ଶହ ଗଛ । ଚରମ ସୀମାରେ ପହଞ୍ଚିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଲୋକେ ଛାଇ ପାଇଁ ଡହଳବିକଳ ହେଉଥିବା ବେଳେ ନଦୀରୁ ବେଆଇନ ବାଲି ଉତ୍ତୋଳନ ପାଇଁ ଶତାଧିକ ଗଛକୁ ବଳି ପକାଇଛନ୍ତି ବାଲି ମାଫିଆ । ଏଭଳି ଦେଖିବାକୁ ମିଳିଛି ଆନନ୍ଦପୁର ତହସିଲ ଅନ୍ତର୍ଗତ କୋଡ଼ପଡ଼ା ପଞ୍ଚାୟତର ଭୋଗପୁର ଗାଁ ନିକଟ ଜମିରେ । ବୈତରଣା କୂଳକୁ ଲାଗି ଜମିରେ ବନିକରଣ କରାଯାଇଥିଲା । ଜମି ମାଲିକଙ୍କ ସହମତିରେ ଜଙ୍ଗଲ ବିଭାଗ ପକ୍ଷରୁ ବୃ୍କ୍ଷରୋପଣ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଜମି ମାଲିକଙ୍କୁ ନଜଣାଇ ବାଲି ମାଫିଆମାନେ ବେଆଇନ ବାଲି ଉତ୍ତୋଳନ କରିବାକୁ ଶତାଧିକ ଗଛ କାଟିବା ସହିତ ବେଆଇନ ଭାବେ ପ୍ରଶସ୍ତ ରାସ୍ତା ନିର୍ମାଣ କରୁଛନ୍ତି । ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ଖଣି ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଭୋଗପୁର ଠାରୁ ଦେଢ଼ କିଲୋମିଟର ଦୂର ଗୌଡ଼ଡିହାରେ ବୈତରଣୀ ନଦୀରେ ଏକ ବାଲିଘାଟ ସରକାରଙ୍କ ତରଫରୁ ନିଲାମ କରାଯାଇଥିଲା । ହେଲେ ଆବଶ୍ୟକ କାଗଜପତ୍ର ନଥିବାରୁ ତାହା ଏବେ ବନ୍ଦ ରହିଛି । ତେବେ ସେହି ନିଲାମଧାରୀଙ୍କ ସମେତ ଅନ୍ୟ କିଛି ବାଲି ମାଫିଆ ବାଲି ଚୋରା ଚାଲାଣ ପାଇଁ ଏଭଳି ରାସ୍ତା ନିର୍ମାଣ କରୁଥିବା ଜଣାପଡ଼ିଛି। ତେବେ ଘଟଣାକୁ ନେଇ ଜଙ୍ଗଲ ବିଭାଗ ଠାରୁ ରାଜସ୍ଵ ବିଭାଗ ସମସ୍ତେ ଅବଗତ ଅଛନ୍ତି । ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଜଙ୍ଗଲ ବିଭାଗ ରାଜସ୍ଵ ବିଭାଗର କାମ କହୁଥିବା ବେଳେ ରାଜସ୍ଵ ବିଭାଗ ଜଙ୍ଗଲ ବିଭାଗର କାମ କହୁଛି । ଅନ୍ୟପଟେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ଖଣି ବିଭାଗ ଅଧୀନରେ ଯାଉଥିବା ବେଳେ ସେମାନେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ଆଖି ଆଗରେ ଏଭଳି ଏକ ବେଆଇନ କାର୍ଯ୍ୟକୁ ପ୍ରଶାସନିକ ସ୍ତରରେ ସମର୍ଥନ ମିଳୁଥିବା ବେଳେ କେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା।