କଂଗ୍ରେସର ଷ୍ଟିଅରିଂ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଆନନ୍ଦ ଶର୍ମା

1 min read

ନୂଆଦିଲ୍ଲୀ: ଗୁଲାମନବୀ ଆଜାଦଙ୍କ ପରେ କଂଗ୍ରେସକୁ ଆଉ ଏକ ଝଟକା ଦେଲେ ଆନନ୍ଦ ଶର୍ମା । ହିମାଚଳ ପ୍ରଦେଶ କଂଗ୍ରେସର ଷ୍ଟିଅରିଂ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ପତ୍ରରେ ସେ ଦର୍ଶାଇଛନ୍ତି- ଆତ୍ମସମ୍ମାନ ସହ ସାଲିସ୍ କରାଯାଇପାରିବ ନାହିଁ । ସେ କହିଛନ୍ତି ସେ ଦୀର୍ଘକାଳ ଧରି କଂଗ୍ରେସରେ ରହିଆସିଛନ୍ତି ଏବଂ ନିଜର ଅଙ୍ଗୀକାର ସହ ସେ ଦୃଢ଼ ଅଛନ୍ତି । ଇସ୍ତଫା ଦେବା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା ।

ଗତ ୧୬ ତାରିଖରେ ଜାମ୍ମୁ ଓ କାଶ୍ମୀର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଗୁଲାମ ନବୀ ଆଜାଦ । ଶର୍ମା କହିଛନ୍ତି ପରାମର୍ଶ ପ୍ରକ୍ରିୟାରେ ତାଙ୍କୁ ଅବମାନନା କରାଯାଇଛି । ତେବେ ସେ ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଗତ ଏପ୍ରିଲ ୨୬ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ କଂଗ୍ରେସର ଉପନେତା ଆନନ୍ଦ ଶର୍ମାଙ୍କୁ ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ମନୋନୀତ କରାଯାଇଥିଲା । ଉଭୟ ଆନନ୍ଦ ଓ ଆଜାଦ ଗ୍ରୁପ ୨୩ ନେତା ଭାବେ ଜଣାଶୁଣା । ୧୯୮୪ରେ ଆନନ୍ଦ ଶର୍ମାଙ୍କୁ ରାଜ୍ୟସଭା ଲାଗି ଟିକେଟ ଦେଇଥିଲେ ଇନ୍ଦିରା ଗାନ୍ଧି ।