ଜ୍ବରରେ ପୀଡିତ ମହାପ୍ରଭୁ, ଚତୁର୍ଥ ଦିନରେ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି କରି ମଇଲମ କଲେ ଦଇତାପତି
1 min read
ପୁରୀ : ଜ୍ବରରେ ପୀଡିତ ମହାପ୍ରଭୁ । ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ବିଶ୍ରାମ ନେଉଛନ୍ତି ଶ୍ରୀଜିଉ । କୋଠସୁଆଁସିଆଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ଶ୍ରୀବିଗ୍ରହଙ୍କ ଚାଲିଛି ଗୁପ୍ତ ସେବା । ଅନ୍ଧାରରେ ଶ୍ରୀଜୀଉଙ୍କ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ଦଇତାପତି । ଅନବସରର ଚତୁର୍ଥ ଦିନରେ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି କରିଛନ୍ତି ସେବାୟତ । ଆଷାଢ଼ କୃଷ୍ଣ ପ୍ରତିପଦା ଚତୁର୍ଥୀ ପର୍ଯ୍ୟନ୍ତ କରାଳକାମ କରାଯିବ। ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ ଫୁଲୁରି ତେଲ ଲାଗି ହେବା ସହ ଦଶମୀ ଦିନ ଚକାବିଜେ କରିବେ ଶ୍ରୀବିଗ୍ରହ । ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇ ମହାପ୍ରଭୁଙ୍କୁ ଓଷ ଲାଗି ହେବ । ଏହା ପରେ ଖଡ଼ି ପ୍ରସାଦ ଓ ଘଣା ଲାଗି ପରେ ସୁସ୍ଥ ହେବେ ମହାପ୍ରଭୁ ।
ସେପଟେ ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ l ତିନି ରଥରେ ଚଉଦ ନାହାଜା ବୁଲିବା ସହ ପ୍ରଥମ ଦ୍ବିତୀୟ ଓ ତୃତୀୟ ଭୂଇଁ ଟୁଙ୍ଗୁରା ଲଗା ଯାଇଛି । ଚକରେ ଆଜି ଲୁହା ପ୍ଲେଟ୍ ଲାଗିଥିବା ବେଳେ ପହିରେ ନଟବୋଲ୍ଡ ଦେଇ ପ୍ଲେଟ୍ ଫିଟି କରିଛନ୍ତି କମାର ସେବକ । ପହି ଯୋଡ଼େଇକୁ ମଜଭୁତ୍ କରିବାକୁ ଆଗ ଚକରେ ଲାଗିଛି ପ୍ଲେଟ୍ । ତୃତୀୟ ଭୂଇଁ କାର୍ଯ୍ୟ ସରିବାପରେ ପଞ୍ଚମ ହରିବୋଲ ପକାଇ ତିନି ରଥରେ ପଡ଼ିଛି ପୋଟଳ । ମହାରଣାଙ୍କୁ ସହଯୋଗ କରୁଛନ୍ତି ଭୋଇ ସେବାୟତ । ମହାପ୍ରଭୁଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ ।