ପରିବାରର ହସ ଛଡ଼ାଇ ନେଇଛି ଅଜଣା ରୋଗ, ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ପୁରୀ: ପୁରୀ ନିମାପଡା ନୂଆପାଟଣା ଗାଁର ବା ରଞ୍ଜନାବାଳା ପାଳ। ପରିବାର କହିଲେ ଦୁଇପୁଅ ଆଉ ସ୍ୱାମୀ ରବିନାରାୟଣ ପାଳ। ଦିନ ଥିଲା ସ୍ୱାମୀ ରୋଜଗାରରେ ଚଳୁଥିଲା ଘର। ଦଇବର ଇଚ୍ଛା କଣ ଥିଲା କେଜାଣି, ଅକସ୍ମାତ ମାଡି ବସିଲା ଅଜଣା ରୋଗ। ଅକ୍ରମଣ୍ୟ ହେଇଗଲେ ରବିନାରାୟଣ। ସେଇଦିନ ଠୁ ସତେ ଯେମିତି ପରିବାରର ହସ ଖୁସି କୁଆଡେ ହଜିଯାଇଛି। ସ୍ବାମୀ ଅସୁସ୍ଥ ହେବା ପରେ ତାଙ୍କ ଚିକିତ୍ସା ତ ଦୂରର କଥା ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ଯ ସଂଘର୍ଷ କରୁଛି ପରିବାର।

ରଞ୍ଜନାଙ୍କ ଦୁଇଟି ପୁଅ। ବଡ ପୁଅ ଶିବପ୍ରସାଦ ପାଳ ଜନ୍ମରୁ ଦିବ୍ୟଙ୍ଗ। ନା କାନକୁ କିଛି ଶୁଣାଯାଏ ନା ସେ କିଛି କହିପାରେ। ସମସ୍ତଙ୍କ ଦୁଃଖ କଷ୍ଟକୁ କାନ୍ଧରେ ବୋହି ରଞ୍ଜନା ଏବେ ପରିବାର ଚଳାଉଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ପାଚିକା ରୂପେ କାମ କରୁଛନ୍ତି। ଏଥିସହ ରଞ୍ଜନା ଦିନ ମଜୁରିଆ ରୂପେ କାମ କରିବା ସହ ସୂତା ମଧ୍ୟ କାଟନ୍ତି। ସେତିକିରେ ଚଳିବା କଷ୍ଟ ହେଉଥିବାରୁ ଆର୍ଥିକ ସହାୟତା ପାଇଁ ପରିବାର ନିବେଦନ କରିଛି। ଗରିବ ପରିବାରକୁ କେହି ସହୃଦୟ ବ୍ଯକ୍ତି ସହଯୋଗ କଲେ ପରିବାରର କଷ୍ଟ ଦୂର ହୋଇପାରନ୍ତା।