ପଙ୍କ ବାହାର କରୁ କରୁ ମିଳିଲା ପୁରାତନ ମନ୍ଦିର

ନୂଆପଡ଼ା: ପଙ୍କ ବାହାର କରୁ କରୁ ବାହାରିଲା ପୁରାତନ ମନ୍ଦିର। ନୂଆପଡ଼ା କୋମନା ବ୍ଲକରେ ଥିବା ସର୍ବପୁରାତନ ଦେଉଳ ବନ୍ଧ ପୋଖରୀରୁ ପଙ୍କ ବାହାର କରାଯାଉଥିଲା। ଏହି ସମୟରେ ପ୍ରାଚୀନ ମନ୍ଦିର ଆକୃତିର ଭଗ୍ନାବଶେଷ ଓ ତ୍ରିଶୂଳ ମିଳିଛି। ଏହାକୁ କୌଣସି ପ୍ରାଚୀନ କୀର୍ତ୍ତି ଭାବି ଲୋକେ ପୂଜାର୍ଚ୍ଚନା କରୁଛନ୍ତି। କୋମନା ସହରର ସର୍ବପୁରାତନ ପୋଖରୀ ହେଉଛି ଦେଉଳବନ୍ଧ। ପୋଖରୀ ହୁଡ଼ାରେ ମହାଦେବ ମନ୍ଦିର ରହିଛି। ପ୍ରତ୍ଯେକ ସୋମ‌ବାର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।

ଚଳିତ ବର୍ଷ ପୋଖରୀର ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଜେସିବିରେ ପଙ୍କ ବାହାର କରିବା ସମୟରେ ଇଟା ଖଣ୍ଡ ବାହାରିଥିଲା। ୫ ଫୁଟରୁ ଉର୍ଦ୍ଧ୍ବ ଖୋଳିବା ପରେ ଇଟାରେ ତିଆରି ମନ୍ଦିର ସଦୃଶ ଦେଖାଯିବା ସହ ତ୍ରିଶୂଳ ବାହାରିଥିଲା। ପୋଖରୀରୁ ମିଳିଥିବା ମନ୍ଦିରଟି ପ୍ରାଚୀନ ଶିବ ମନ୍ଦିର ଓ ତାହା କାଳକ୍ରମେ ପୋତି ହୋଇ ଯାଇଥିବା ଗବେଷକ କହିଛନ୍ତି।