ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କଲେ ପୂର୍ବତନ କ୍ରିକେଟ କ୍ଯାପଟେନ ଜାଭେଦ ମିଆଁଦାଦ

1 min read

ବ୍ୟୁରୋ ରିପୋର୍ଟ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ କ୍ରିକେଟ କ୍ଯାପଟେନ ଜାଭେଦ ମିଆଁଦାଦ। ମୁସଲିମ ସମୁଦାୟ ଲାଗି ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଅନେକ କିଛି କରିଛନ୍ତି ବୋଲି କହିଛନ୍ତି ମିଆଁଦାଦ। ସେ କହିଛନ୍ତି- ଦାଉଦଙ୍କୁ ସେ ଦୀର୍ଘଦିନ ତଳୁ ଜାଣିଛନ୍ତି। ତାଙ୍କ ପୁଅ ସହ ଦାଉଦଙ୍କ କନ୍ୟା ବିବାହ କରିଥିବା ଘଟଣା ତାଙ୍କ ଲାଗି ଗୌରବର ବିଷୟ। ତାଙ୍କ ବୋହୂ ଉଚ୍ଚଶିକ୍ଷିତା ଓ ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଛାତ୍ରୀ।

ବିଗତ ୨୦୦୫ରେ  ଦୁବାଇରେ ବ୍ୟାପକ ନିରାପତ୍ତା ବଳୟରେ ମିଆଁଦାଦଙ୍କ ପୁଅ ଜୁନେଦଙ୍କ ସହ ଦାଉଦ କନ୍ୟା ମହରୁଖଙ୍କ ବିବାହ ସମ୍ପନ୍ନ ହୋଇଥିଲା । ସେତେବେଳେ ଏହି ବିବାହ ବିଶ୍ବରେ ଚର୍ଚ୍ଚାର କାରଣ ହୋଇଥିଲା । ଏକ ସାକ୍ଷାତକାରରେ ମିଆଁଦାଦ କହିଛନ୍ତି- ଦାଉଦଙ୍କ ପରିବାର ସମ୍ପର୍କରେ ଲୋକଙ୍କ ଅନେକ ଭୁଲ ଧାରଣା ରହିଛି । ଦାଉଦଙ୍କୁ ସଠିକ୍ ଭାବେ ବୁଝିବା କଷ୍ଟସାଧ୍ୟ। ଦାଉଦଙ୍କୁ ନେଇ ଲୋକେ ଯାହା ଭାବୁଛନ୍ତି ତାହା ଠିକ୍ ନୁହେଁ। ବିଗତ ୧୯୯୩ ମାର୍ଚ୍ଚରେ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିଲେ ୨୫୦ରୁ ଅଧିକ ଲୋକ। ସେହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଅଭିଯୋଗରେ ଦାଉଦକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ। ପରେ ପରେ ପଳାତକ ସାଜିଥିଲେ ଦାଉଦ ।

୧୯୭୦ ଦଶକରେ ମୁମ୍ବାଇରେ ଡି-କମ୍ପାନୀ ପ୍ରତିଷ୍ଠା କରିଥିବା ଦାଉଦ ସମୟ କ୍ରମେ ଗ୍ଯାଙ୍ଗଷ୍ଟାରରେ ପରିଣତ ହୋଇଯାଇଥିଲେ। ପାକିସ୍ତାନର କରାଚିର କ୍ଲିଫଟନ ଅଞ୍ଚଳରେ ଦାଉଦ ବାସ କରୁଥିବା କୁହାଯାଉଥିବା ସତ୍ତ୍ବେ ଏହାକୁ ଖଣ୍ଡନ କରିଆସୁଛି ପାକିସ୍ତାନ । ୬୬ ବର୍ଷ ବୟସ୍କ ମିଆଁଦାଦ ନିଜର କ୍ରୀଡା ଜୀବନରେ ୧୨୪ ଟେଷ୍ଟ ଓ ୨୩୩ଟି ଓ୍ବାନଡେ ଖେଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।