ନୟାଗଡ଼: ଅମ୍ରିତ ମୁହଁରେ କିଡନାପ କାହାଣୀ । କେମିତି କରାଯାଇଥିଲା ଅପହରଣ । ଗଣମାଧ୍ୟମ ଆଗରେ ସେଦିନର ଗୋଟିଗୋଟି କଥା କହିଛି ନୟାଗଡ଼ କୁରାଳର ଉଦ୍ଧାର ଛାତ୍ର ଅମ୍ରିତ ପାତ୍ର । ପ୍ରେସମିଟ କରି କିଡନାପର ଖୁଲାସା କରିଛନ୍ତି ନୟାଗଡ଼ ଏସପି । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଟଙ୍କା ଲୋଭରେ ନାବାଳକୁ ଅପହରଣ କରିଥିଲା ମୁଖ୍ଯ ଅଭିଯୁକ୍ତ ସ୍ବପ୍ନପ୍ରସାଦ ପଣ୍ଡା । ଏଥିପାଇଁ ତାକୁ ସହଯୋଗ କରିଥିଲେ ତାର ଭାଇ ଭକ୍ତଦର୍ଶନ ଏବଂ ସାଙ୍ଗ ସୁନୀଲ ପାଣିଗ୍ରାହୀ ।

ସ୍ବପ୍ନ ପ୍ରସାଦ ଅମ୍ରିତ ବାପାଙ୍କ ବ୍ୟବସାୟ ପାଇଣ ନିଜ ଗାଡ଼ିରେ ଜିନିଷପତ୍ର ବୋହୁଥିଲା । ଏଣୁ ତାଙ୍କ ପାଖରେ ଅଧିକ ଟଙ୍କା ଥିବା ଲୋଭରେ ଅମ୍ରିତଙ୍କୁ ଅପରହରଣ କରିଥିଲା । ୧୫ ତାରିଖ ସନ୍ଧ୍ଯା ସାଢେ ସାତଟାରେ ଅମ୍ରିତ ଟିଉସନରୁ ଫେରୁଥିବା ସମୟରେ ତାକୁ ନିଜର ପିକଅପ୍ ଭ୍ଯାନରେ ଅପହରଣ କରିନେଇଥିଲେ । ପ୍ରଥମେ କୁରାଳ ଚଣ୍ଡିସାହିର ଏକ ଘରେ ଏବଂ ପରେ ମହାନ୍ତି ସାହିର ଏକ ଘରେ ରଖିଥିଲେ । ସେହି ଦୁଇଟି ଘରର ମାଲିକ ପଞ୍ଜାବରେ ରହୁଥିବାରୁ ଘରର ଚାବି ସ୍ବପ୍ନପ୍ରସାଦଙ୍କ ପରିବାର ପାଖରେ ରହୁଥିଲା ।

ପୋଲିସ ଓ ଗ୍ରାମବାସୀ ତତ୍ପର ହେବାରୁ ଅମ୍ରିତକୁ ବାହାରକୁ ନେଇପାରିନଥିଲେ ଅପହରଣକାରୀ । ୪ଦିନ ତାକୁ ହାତଗୋଡ ବାନ୍ଧି ଘରେ ରଖିଥିଲେ । ଦୁଇଭାଇ ତାକୁ ସବୁ ସମୟରେ ଜଗି ରହୁଥିଲେ । ଶେଷରେ ଯୋଜନାରେ ବିଫଳ ହେବାରୁ ୧୭ତାରିଖ ରାତିରେ ତାକୁ ସେହି ଘରେ ଛାଡିଦେଇ ଚାଲିଯାଇଥିଲେ । ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମସିନ ରିକ୍ରିଏସନ କରିଛି । ଘରୁ ଅମ୍ରିତର ଜ୍ୟାକେଟ୍ , ଛୁରି , ଅମ୍ରିତକୁ ବନ୍ଧାଯାଇଥିବା ରଶି ଏବଂ କୁଅରୁ ଅମ୍ରିତର ବ୍ଯାଗ୍ ଜବତ କରାଯାଇଛି ।