ସମୁଦ୍ର ମଝିରେ ୨୮ ଦିନ, ଲୁଣିପାଣି ଥିଲା ସାହାରା…

1 min read

ପୁରୀ: ସମୁଦ୍ରରେ  ଅହରହ ସଂଘର୍ଷ କରି ଫେରିଛନ୍ତି ଆଣ୍ଡାମାନ ନାବିକ । ମୃତ୍ୟୁକୁ ଜିଣିଥିବା ଆଣ୍ଡାମାନ ନାବିକ ଅମ୍ରିତଙ୍କୁ ପଠାଯିବ ଆଣ୍ଡାମାନ  । ସେଥିପାଇଁ ଚାଲିଛି ପ୍ରସ୍ତୁତି  । ସମୁଦ୍ର ମଝିରେ ବୁଲି ବୁଲି ପୁରୀ ବ୍ରହ୍ମଗିରି ଖିରୀସାହି ନିକଟସ୍ଥ ବେଳାଭୂମିରେ ଡଙ୍ଗା ସହ ଲାଗିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା  । ଉଦ୍ଧାର ହେବା ପରେ ସ୍ଥାନୀୟ ବାସିନ୍ଦା ମାନଙ୍କ ସହାୟତାରେ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ମୃତ୍ୟୁ ମୁଖରୁ ସଂଘର୍ଷ କରି ବଞ୍ଚିଥିବା ଆଣ୍ଡାମାନ ନିବାସୀ ଅମ୍ରିତଙ୍କୁ ଚିକିତ୍ସା ପାଇଁ ପ୍ରଶାସନ ପୁରୀ ମେଡିକାଲରେ ଭର୍ତ୍ତିକରିଛନ୍ତି ।

ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ବେଳେ ତାଙ୍କ ଘର ଆଣ୍ଡାମାନକୁ ଫେରାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି ପ୍ରଶାସନ  । ତେବେ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କୁ ବେଡ଼ ଟିଏ ମିଳିନଥିବା ବେଳେ ସେ ମେଡ଼ିସିନ ୱାର୍ଡର ଚଟାଣରେ ଗଦି ପକାଇ ଚିକିତ୍ସା  କରାଯାଇଥିବା ଦେଖାଯାଇଛି  । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଆଶ୍ଚର୍ଯ୍ୟର ବିଷୟ । ଅମ୍ରିତ ପ୍ରଶାସନିକ ହେପାଜତରେ ଥିବାବେଳେ ନାବିକଙ୍କୁ ଏ ପ୍ରକାରର ଚିକିତ୍ସା ସେବା ଯୋଗାଇଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି ।

ସମୁଦ୍ର ମଝିରେ ଅମ୍ରିତଙ୍କ ଜୀବନ କିଛି ଏମିତି ଥିଲା…

ଯାହା ଶୁଣିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ…

କାରଣ ଏ ହେଉଛି ସମୁଦ୍ର ମଝିରେ ଜୀବନ ବଞ୍ଚିବା ପାଇଁ ଚାଲିଥିବା ଅହରହ ସଂଘର୍ଷର… ଏ ସଂଘର୍ଷ ହେଉଛି ଅମ୍ରିତଙ୍କର…

ଗତ ସେପ୍ଟେମ୍ବର ୨୮ ତାରିଖରେ ଅମ୍ରିତ ଓ ତାଙ୍କ ସାଙ୍ଗ ଦିବ୍ୟରଞ୍ଜନ ନାମକ ୨ ନାବିକ ପୋର୍ଟବ୍ଲେୟାରରୁ ରାସନ ଧରି ନିଲ୍ ଆଇଲ୍ୟାଣ୍ଡ ଅଭିମୁଖେ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ସେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିନଥିଲେ । କାରଣ ମଝି ସମୁଦ୍ରରେ ଘୁର୍ଣ୍ଣିଝଡ଼ ହେବାରୁ ଉଭୟ ଦିଗ ହରାଇଥିଲେ । ଘୁର୍ଣ୍ଣିଝଡ଼ର ବେଗ ଏତେ ମାତ୍ରାରେ ଥିଲା ଯେ ଲଙ୍ଗର ପକାଇଥିଲେ ମଧ୍ୟ ଲଙ୍ଗରର ଦଉଡ଼ି  ଛିଣ୍ଡିଯାଇଥିଲା ।

ଖାଲି ଏତିକିରେ ସରିନଥିଲା ତାଙ୍କର ସଙ୍ଘର୍ଷ…

ଡଙ୍ଗା ଓଜନ ଥିବାରୁ ସେମାନେ ଡଙ୍ଗାରେ ଥିବା ସମସ୍ତ ରାସନ ସାମଗ୍ରୀକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ । ଆଉ ଦିଗହରା ହୋଇ ବୁଲୁଥିବା ବେଳେ ବୋଟରେ ଡିଜେଲ୍ ମଧ୍ୟ ସରିଯାଇଥିଲା । ଡଙ୍ଗାରେ ରାସନ ନଥିବାରୁ ସେମାନେ ବିନା ଖିଆ ପିଆରେ ଘୂରିବୁଲୁଥିଲେ ଗଭୀର ସମୁଦ୍ର ମଝିରେ । ଆଉ ଖୋଜିବୁଲୁଥିଲେ ଜୀବନ ବଞ୍ଚାଇବାର ରାସ୍ତାକୁ  ।

କିଛି ଦିନ ପରେ ଉଭୟ ବର୍ମାରେ ପହଞ୍ଚି ଥିଲେ। ସ୍ଥାନୀୟ ନୌସେନା ୨୬୦ ଲିଟର ଡିଜେଲ୍ ଦେଇ ଦକ୍ଷିଣ ଦିଗକୁ ଯିବା ପାଇଁ  ପରାମର୍ଶ ଦିଆଯାଇଥିଲା ।  ବର୍ମାରୁ ଫେରିବା ବାଟରେ ତାଙ୍କୁ ଚାହିଁ ବସିଥିଲା  ଆଉ ଏକ ଘୂର୍ଣ୍ଣିଝଡ଼ । ସେମାନଙ୍କ ଡଙ୍ଗା କୂଳକୁ ଲାଗିବା ପୂର୍ବରୁ ପୁଣି ଡଙ୍ଗାରୁ ତେଲ ସରିଯାଇଥିଲା ।

ଅମ୍ରିତ ଓ ଦିବ୍ୟରଞ୍ଜନ ପୁଣି ବାଟବଣା ହୋଇଯାଇଥିଲେ। ୧୦ ଦିନ ଧରି ଖାଇବା ନଖାଇ ଅଧା ରାସ୍ତାରେ ଅମ୍ରିତଙ୍କୁ ଛାଡି ଆଖିବୁଜିଥିଲେ ଦିବ୍ୟରଞ୍ଜନ । ତାଙ୍କ ମୃତଦେହକୁ ୩ ଦିନ କାଳ ରଖିବା ପରେ ଦୁର୍ଗନ୍ଧ ହେବାରୁ ସମୁଦ୍ର ଭିତରେ ଫିଙ୍ଗିଦେଇଥିବା ବଖାଣିଛନ୍ତି ଅମ୍ରିତ ।

ଶେଷରେ ୨୮ ଦିନ ଅଖିଆ ଅପିଆ ସଂଘର୍ଷ ପରେ ଗତ ୨୬ ତାରିଖରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ସମୁଦ୍ର କୂଳରେ ସେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ଅମ୍ରିତଙ୍କୁ ଡଙ୍ଗାରୁ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ')}

Leave a Reply