ବିଗ୍‌ ବିଙ୍କ ସ୍ବର ଶୁଣି ଉଠିବେ ରାଜୁ, ଅଡିଓ କ୍ଲିପ ପଠାଇଲେ ଅମିତାଭ୍‌

ମୁମ୍ବାଇ: ଉଠ ରାଜୁ, ବହୁତ ହେଲା, ଆହୁରି ବହୁତ କାମ କରିବାର ଅଛି  । ଏମିତି ଶୁଣି କାଳେ ରାଜୁ ହସ୍ପିଟାଲ ବେଡ୍‌ରୁ ଉଠିଯିବେ କି ? ପୁଣିଥରେ ଷ୍ଟେଜରେ ଚଢି ଦର୍ଶକଙ୍କୁ ହସାଇ ହସାଇ ଲୋଟ୍‌ପୋଟ୍‌ କରିବେ କି ? କିଛି ଏମିତି ଢଙ୍ଗରେ ଗୁରୁଗମ୍ଭୀର ସ୍ବରରୁ ରାଜୁଙ୍କ ପାଇଁ ଆସିଛି ଏକ ଭାବପ୍ରବଣ ଅଡିଓ କ୍ଲିପ୍‌  । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା  । ହଁ ଆଜ୍ଞା କମେଡି କିଙ୍ଗ ରାଜୁଙ୍କ ପାଖକୁ ଏହି ଅଡିଓ କ୍ଲିପ ପଠାଇଛନ୍ତି ବିଗ ବି ଅମିତାଭ ବଚ୍ଚନ   ।

କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ  । ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ  । ଷ୍ଟେଜ ସୋ ହେଉକି ବଡ ପ୍ରୋଗାମ ସବୁଠି ଅମିତାଭଙ୍କ ଡାଇଲଗ କହି ତାଳିର ହକଦାର ହୋଇଛନ୍ତି ରାଜୁ  । କିନ୍ତୁ ନା ଏବେ ରାଜୁ ଷ୍ଟେଜକୁ ଯିବା ସ୍ଥିତିରେ ଅଛନ୍ତି ନା ଶୁଣିବାକୁ ମିଳୁଛି ରାଜୁଙ୍କ ମଜାଦାର୍‌ ଜୋକ୍ସ  । ଜିମ୍‌ରେ ୱାର୍କଆଉଟ କରିବା ସମୟରେ ହୃଦଘାତର ଶିକାର ହୋଇ ଏବେ ଭେଣ୍ଟିଲେଟରରେ ରାଜୁ  ।

ଯାହା ଶୁଣିବା ପରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ବିଗ ବି  । ତିନି ଦିନ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଥର ମେସେଜ କରିଛନ୍ତି ଅମିତାଭ । କିନ୍ତୁ ରାଜୁଙ୍କ ଫୋନ ବନ୍ଦ ଥିବାରୁ ବିଗ୍‌ ବିଙ୍କ ବାର୍ତ୍ତା ତାଙ୍କ ପରିବାର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା  । ଠିକ୍‌ ଏହାରି ମଧ୍ୟରେ ରାଜୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ପରିବାରକୁ ଛୋଟିଆ ନିବେଦନ କରିଥିଲେ  । ରାଜୁ ଚେତାଶୂନ୍ୟ ଅଛନ୍ତି ସତ କିନ୍ତୁ ହୁଏତ ସେ ଆମ ସମସ୍ତଙ୍କୁ ଶୁଣିଥାଇ ପାରୁଥାନ୍ତି  ।  ଯଦି ରାଜୁଙ୍କୁ ତାଙ୍କ ପ୍ରିୟ ମଣିଷର ସ୍ବର ଶୁଣାଯାଇପାରନ୍ତା ହୁଏତ ତାଙ୍କ ବ୍ରେନ ପୁଣି କାର୍ଯ୍ୟକ୍ଷମ ହୋଇପାରେ  । ରାଜୁ ଶୀଘ୍ର ସୁସ୍ଥ ହେବା ପାଇଁ ଏହା ହୁଏତ ସହାୟକ ହେବ  ।

ଡାକ୍ତରଙ୍କ ପରାମର୍ଶ ଶୁଣି ପରିବାର ଲୋକେ ଅମିତାଭ ବଚ୍ଚନଙ୍କ ସହ ଯୋଗାଯୋଗ କରିବାକୁ ମନସ୍ଥ କରିଥିଲେ  । କାରଣ ଅମିତାଭଙ୍କୁ ରାଜୁ ନିଜ ଆଦର୍ଶ ମାନୁଥିବା ତାଙ୍କ ପରିବାର ଠୁ ଅଧିକ ବା କିଏ ଜାଣିବ  । ରାଜୁଙ୍କ ଘରୁ ଅମିତାଭଙ୍କ ଅଫିସକୁ ଲାଗିଥିଲା ଫୋନ  । ତାଙ୍କ ଅସୁସ୍ଥତା ଶୁଣିବା କ୍ଷଣି ହିଁ ଅମିତାଭ ଅନେକ ମେସେଜ କରିଥିବା ରାଜୁଙ୍କ ପରିବାରକୁ ଜଣାଇଥିଲା ବିଗ ବିଙ୍କ ଅଫିସ  । ତଥାପି ରାଜୁଙ୍କ ସୁସ୍ଥତା କାମନା କରି ପୁଣିଥରେ ଅମିତାଭଙ୍କ ଅଡିଓ କ୍ଲିପ୍‌ ରାଜୁଙ୍କ ପାଖକୁ ପଠାଯାଇଛି  । ଖୁବଶୀଘ୍ର ରାଜୁ ସୁସ୍ଥ ହୋଇ ଷ୍ଟେଜକୁ ଫେରନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ କାମନା  ।