ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଅମିତ ଶାହଙ୍କ ଆହ୍ବାନ

ନୂଆଦିଲ୍ଲୀ: ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲବାହିନୀକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବିଶେଷ କରି ଯୁବ କ୍ୟାଡରଙ୍କୁ ସେ ଏହି ଅନୁରୋଧ କରିଛନ୍ତି । ନକ୍ସଲ ସମସ୍ୟାକୁ ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଅମିତ ଶାହା କହିଛନ୍ତି, ଯୁବ ପୀଢ଼ିଙ୍କୁ ବିଭ୍ରାନ୍ତ କରି ଲାଲବାହିନୀରେ ସାମିଲ କରାଯାଉଛି । ସେମାନେ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଉଚିତ । ଐହି ଅବସରରେ ନକ୍ସଲ ବିରୋଧୀ ଅପରେସନରେ ସଫଳତା ପାଇଁ ସୁରକ୍ଷାକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହା ।

ସେ କହିଛନ୍ତି, ନକ୍ସଲ ହିଂସା ସଂଖ୍ୟା ୧୬ ହଜାର ୪୬୩ରୁ ୭ ହଜାର ୭୭୦କୁ ଖସିଛି । ଆସନ୍ତା ବର୍ଷ ଆହୁରି କମିବ । ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ବି ୭୦ ପ୍ରତିଶତ କମିଛି । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୯୬ରୁ ୪୨କୁ ହ୍ରାସ ପାଇଛି । ସେହିପରି ଏବେ ମାତ୍ର ୧୨୦ଟି ଥାନା ଅଞ୍ଚଳରେ ନକ୍ସଲ ହିଂସା ଦେଖା ଦେଇଛି । ଏହି ସବୁ ଅଞ୍ଚଳରେ ବିକାଶ କାମ ଜାରି ରଖିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଆଗକୁ ସେ କହିଛନ୍ତି, ସୁରକ୍ଷା ପାଇଁ ଗତ ୧୦ ବର୍ଷରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ରର ସ୍ଵତନ୍ତ୍ର ସହାୟତା ଯୋଜନାରେ ଖର୍ଚ୍ଚ ହୋଇଛି ପ୍ରାୟ ୪ ହଜାର କୋଟି । ୫୪୪ ଥାନାର ଆଧୁନିକୀକରଣ କରାଯାଇଥିବା ବେଳେ ନକ୍ସଲ ଅଞ୍ଚଳରେ ଗତ ୧୦ ବର୍ଷରେ ୧୧ ହଜାର ୫ ଶହ କିମି ରାସ୍ତା ତିଆରି ହୋଇଛି । ସେହିପରି ସ୍ଥାପନ କରାଯାଇଛି ୧୫ ହଜାର ୩୦୦ ମୋବାଇଲ ଟାୱାର । ୨୦୨୪ର ପ୍ରଥମ ୧୦ ମାସରେ ଛତିଶଗଡ଼ରେ ୧୯୪ ନକ୍ସଲ ନିହତ ହୋଇଥିବା ବେଳେ ୮ ଶହରୁ ଅଧିକ ଗିରଫ ହୋଇଛନ୍ତି । ସେହିପରି ୭୫୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କ ଥଇଥାନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।