ଶୁଭେନ୍ଦୁଙ୍କ ଗଳାରେ ଶାହାଙ୍କ ମାଳ, ଦିଦିଙ୍କୁ ଟିଏମସି ଟେନସନ

କୋଲକାତା: ଦିଦିଙ୍କୁ ଘାରିଛି ଟିଏମସି ଟେନସନ । କାରଣ ଖୋଦ ମମତାଙ୍କ ଗଡରେ ଏବେ ପାଦ ରଖିଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଚାଷୀ ସମାବେଶରେ ଯୋଗଦେବା ସହ ଟିଏମସି ଛାଡିଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳରେ ସାମିଲ କରିଛନ୍ତି । ସେହିପରି ଟିଏମସିର ସାଂସଦ ଏବଂ ବିଧାୟକଙ୍କୁ ମଧ୍ୟ ବିଜେପିରେ ସାମିଲ କରିଛନ୍ତି ଅମିତ ଶାହା ।

ପଶ୍ଚିମବଙ୍ଗରେ ପହଁଚିବା ପରେ ପ୍ରଥମେ ରାମକୃଷ୍ଣ ମିଶନ ଯାଇ ସ୍ୱାମୀ ବିବେକାନନ୍ଦଙ୍କୁ ପୂଜା କରିଥିଲେ ଶାହା । ପରେ ଜଣେ କୃଷକଙ୍କ ଘରକୁ ଯାଇ ଭୋଜନ କରିଥିଲେ ଗୃହମନ୍ତ୍ରୀ । ଆଉ ପରେ ମଞ୍ଚରେ ଅଭିବାଦନ ଦେଇ ଦିଦିଙ୍କ ଉପରେ ଗର୍ଜିଛନ୍ତି  । ପଶ୍ଚିମବଙ୍ଗର ନିର୍ବାଚନକୁ ହାତରେ ଆଉ କେତେ ମାସ ବାକି ରହିଥିବାବେଳେ ରାଜନୀତିର ରଙ୍ଗରେ ବର୍ତ୍ତମାନ ରଙ୍ଗାୟିତ ହୋଇଛି ବଙ୍ଗଲା।

ସୋନାର ବଙ୍ଗଲାର ଭାଷଣ ଦେଉଥିବା ଦିଦି, ଏବେ ସମଗ୍ର ରାଜ୍ୟରେ ଅରାଜକତା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି  । ପଶ୍ଚିମବଙ୍ଗକୁ କେବଳ ସୁନା କରିବାର ସାମାର୍ଥ୍ୟ ବିଜେପିର ରହିଛି  । ଆଗାମୀ ଦିନରେ ଟିଏମସିରେ କେବଳ ଦିଦି ହିଁ ଏକା ଥିବେ, ଅନ୍ୟ ସମସ୍ତ ନେତା ବିଜେପିରେ ରହିଥିବା ବୋଲି କହିଛନ୍ତି ଅମିତ ଶାହା  । ସେହିପରି ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ମଧ୍ୟ ତୃଣମୂଳ କଂଗ୍ରେସକୁ ଭର୍ତ୍ସନା କରିଛନ୍ତି  । ହିଂସା, ସନ୍ଦେହ ଏବଂ ବିଶ୍ୱାସଘାତକତାରେ ମମତା ବାନାର୍ଜୀ ବୁଡି ରହିଥିବା ସେ କହିଛନ୍ତି  ।

ମମତା ବାନାର୍ଜୀଙ୍କ ଡାହାଣ ହାତ କୁହାଯାଉଥିବା ତଥା ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଦଳ ଛାଡିବା ପରେ ଜୋର ଧରିଥିଲା ରାଜନୀତି । ସେପଟେ ଶୁଭେନ୍ଦୁଙ୍କ ଇସ୍ତଫା ପରେ ଲଗାତର ଅନେକ ବିଧାୟକ, କାଉନସିଲର, ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଅନେକ ସରପଞ୍ଚ ଟିଏମସିରୁ ଇସ୍ତଫା ଦେଇଥିଲେ । ଶେଷେର ଆଜି ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ୯ ବିଧାୟକ ଏବଂ ଅନ୍ୟାନ ନେତା ବିଜେପିରେ ସାମିଲ ହୋଇଛନ୍ତି । ମିଶନ ୨୦୦ ନାରାକୁ ଦୋହରାଇବା ସହ ଟିଏମସିକୁ ଓପାଡି ଫୋପାଡି ଦିବାକୁ କର୍ତକର୍ତ୍ତାଙ୍କୁ କହିଛନ୍ତି ଅମିତ ଶାହା  ।

Leave a Reply