ଦେଶର ଇଞ୍ଚେ ଜମି କେହି ବି ନେଇପାରିବେନି, ବିରୋଧୀଙ୍କୁ ଉତ୍ତର ଦେଲେ ଶାହା

1 min read

ନୂଆଦିଲ୍ଲୀ: ଦେଶର ଇଞ୍ଚେ ଜମି ବି କେହି ନେଇ ପାରିବେନି। ଅରୁଣାଚଳ ପ୍ରଦେଶ ତାଓ୍ବାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷ ପରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଡିସେମ୍ବର ୯ ତାରିଖରେ ଭାରତୀୟ ଯବାନଙ୍କ ବୀରତ୍ବକୁ ପ୍ରଶଂସା କରିଛନ୍ତି ଶାହା।

ଅନୁପ୍ରବେଶ କରିଥିବା ସମସ୍ତଙ୍କୁ ଅଳ୍ପ ସମୟ ମଧ୍ୟରେ ସେନା ତଡ଼ିବା ସହ ଦେଶର ସୁରକ୍ଷା କରିଥିଲା। ଘଟଣାକୁ ନେଇ ବିରୋଧୀ ସଂସଦରେ ପ୍ରଶ୍ନକାଳ ଚଳାଇ ଦେଇନଥିବାରୁ ଏହାକୁ ନିନ୍ଦା କରିଛନ୍ତି ଶାହା। ଡିସେମ୍ବର ୯ରେ ଚୀନ ସେନା ନିୟନ୍ତ୍ରଣ ରେଖା ପାର୍ କରି ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ଏହାର ପ୍ରତିରୋଧ କରିଥିଲେ ।

ପ୍ରାୟ ୩ଶହ ଚୀନ ସୈନ୍ୟ ହାତରେ କଣ୍ଟା ଲଗାଯାଇଥିବା ବାଡି ଧରି ଭାରତ ସୀମାକୁ ପ୍ରବେଶ କରୁଥିବା ବେଳେ ଭାରତୀୟ ସୈନ୍ୟ ଏହାର ଦୃଢ଼ ଜବାବ ଦେଇଥିଲେ । ଧସ୍ତାଧସ୍ତି ସମୟରେ ଚୀନ ସେନା ପକ୍ଷରୁ ପଥର ମାଡ ମଧ୍ୟ କରାଯାଇଥିଲା । ଏଥିରେ ଭାରତର ୬ ସୈନ୍ୟ ଆହତ ହୋଇଥିବା ବେଳେ ଚୀନର ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ଅନୁପ୍ରବେଶ ପାଇଁ ଚୀନ ପ୍ରାୟ ୧୫ ଦିନ ପୂର୍ବରୁ ଚକ୍ରାନ୍ତ କରିଥିବା ଜଣାପଡ଼ିଛି । ପୂର୍ବ ଯୋଜନା ମୁତାବକ ଚୀନ ସେନା ତାଓ୍ବଙ୍ଗର ୧୭ ହଜାର ଫୁଟ ଉଚ୍ଚରେ ପହଞ୍ଚିଥିବା ବେଳେ ଭାରତୀୟ ସେନା ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

ଚୀନ ପ୍ରତିପକ୍ଷଙ୍କ ସହ ଭାରତୀୟ ସେନା କମାଣ୍ଡରଙ୍କ ଫ୍ଲାଗ୍ ମିଟିଂ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତେବେ ଗତକାଲି ସୀମାରେ ସଂଘର୍ଷ ହୋଇଥିବା ଜଣାପଡ଼ିବା ପରେ ତାଓ୍ବାଙ୍ଗ ସେକ୍ଟରର ସାଟେଲାଇଟ ଇମେଜ ସାମ୍ନାକୁ ଆସିଛି । ସୀମା ପାର୍ଶ୍ବ ବିବାଦୀୟ ଅଞ୍ଚଳରେ ଚୀନ ଗାଁ ନିର୍ମାଣ କରିଥିବା ବେଳେ ସଡ଼କ ମଧ୍ୟ ନିର୍ମାଣ କରାଯାଇଥିବା ସାଟେଲାଇଟ ଇମେଜକୁ ଜଣାପଡ଼ିଛି ।