ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ର ସରକାର । ରାଜ୍ଯସଭାରେ ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ପ୍ରଶଂସା କରିଛନ୍ତି ଶାହ । ରାଜ୍ଯସଭାରେ ୱାୟନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତି ରଖିବା ସମୟରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ । ଅମିତ ଶାହ କହିଛନ୍ତି, ବିପର୍ଯ୍ଯୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା । ହେଲେ ନବୀନ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ବଡ଼ ସଫଳତା ମିଳିଥିଲା । ବିପର୍ଯ୍ଯୟରେ ବିଶେଷ କ୍ଷୟକ୍ଷତି ହୋଇନଥିଲା ।

ନବୀନଙ୍କ ଜିରୋ କାଜୁଆଲଟି ନୀତି ହିଁ ବିପର୍ଯ୍ଯୟ ମୁକାବିଲାରେ ବଡ଼ ସଫଳତା ଆଣିଥିଲା । ପୂର୍ବରୁ ମଧ୍ଯ ନବୀନଙ୍କ ବିପର୍ଯ୍ଯୟ ପରିଚାଳନା ନୀତିକୁ କେନ୍ଦ୍ର ପ୍ରଶଂସା କରିଛି । ଏପରିକି ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ଓଡ଼ିଶାର ମାଷ୍ଟ୍ରପ୍ଲାନକୁ ପ୍ରଶଂସା କରାଯାଇଛି । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ୧୯୯୯ ମହାବାତ୍ଯାର ବୀଭିଷିକାକୁ ଦୃଷ୍ଟିରେ ରଖି ରାଜ୍ଯରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଥିଲେ । ୨୦୦୫ ମସିହାରେ ଗଠନ କରିଥିଲେ ଓସଡମା ।

ଧୀରେଧୀରେ ଉପକୂଳ ଅଞ୍ଚଳରେ ସୃଷ୍ଟି କରାଯାଇଥିଲା ବାତ୍ଯା ଓ ବନ୍ଯା ଆଶ୍ରୟସ୍ଥଳ । ଜିରୋ କାଜୁଆଲଟି ନୀତି ଆପଣାଇ ନବୀନ ସାରା ବିଶ୍ବକୁ ବିପର୍ଯ୍ୟୟ ମୁକାବିଲାର ନୂଆ କୌଶଳ ଶିଖାଇଥିଲେ । ୨୦୧୩ରେ ଫାଇଲିନକୁ ସଫଳତାର ସହ ମୁକାବିଲା କରିଥିଲେ ବିଜେଡି ସରକାର । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ହୁଡୁହୁଡୁ, ତିତଲି, ଅମ୍ଫାନ ଓ ଫନି ଭଳି ମହାବାତ୍ଯାର ସଫଳ ମୁକାବିଲା କରିଥିଲେ ନବୀନ ସରକାର । ଫାଇଲିନ ମୁକାବିଲା ପାଇଁ ବିଶ୍ବବ୍ଯାଙ୍କ ଓ ଜାତି ସଂଘ ନବୀନ ସରକାରଙ୍କୁ ପ୍ରଶଂସା କରିଥିଲେ । ଜାତିସଂଘ ଓଡ଼ିଶାର ବିପର୍ଯ୍ଯୟ ମୁକାବିଲା ରଣନୀତିକୁ ବିଶ୍ବର ଅନ୍ଯ ରାଷ୍ଟ୍ରମାନଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲା । ନବୀନଙ୍କ ଏହି ବିପର୍ଯ୍ୟୟ ମୁକାବିଲା ରଣନୀତିକୁ ଦେଶର ଅନ୍ଯ ରାଜ୍ଯମାନେ ମଧ୍ଯ ଆପଣାଇଛନ୍ତି ।