ପାକ୍ ଅଧିକୃତ କାଶ୍ମୀର ପାଇଁ ୨୪ ସଂରକ୍ଷିତ ଆସନ,ଜାଣନ୍ତୁ କେନ୍ଦ୍ର ସରକାରଙ୍କ ଯୋଜନା କ’ଣ ?

1 min read

ନୂଆଦିଲ୍ଲୀ: ଲୋକସଭାରେ ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଧେୟକ,୨୦୨୩ ଓ ଜମ୍ମୁ-କାଶ୍ମୀର ପୁର୍ନଗଠନ (ସଂଶୋଧନ) ବିଧେୟକ ୨୦୨୩ ଗୃହିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ଏହାକୁ ସଂସଦରେ ଉପସ୍ଥାପନ କରିଥିଲେ । ଆଗରୁ ଜମ୍ମୁ ପାଇଁ ୩୭ଟି ଆସନ ଥିବାବେଳେ ନୂଆ ବିଧେୟକ ଅନ୍ତର୍ଗତରେ ଏହି ସଂଖ୍ୟା ୪୩ ହୋଇଛି । ସେହିଭଳି କାଶ୍ମୀର ଆସନ ସଂଖ୍ୟା ୪୩ରୁ ବଢି ୪୭ ହୋଇଛି । ପାକ୍ ଅଧିକୃତ କାଶ୍ମୀର ପାଇଁ ନୂଆ ବିଧେୟକରେ ୨୪ ଆସନ ସଂରକ୍ଷିତ ରଖାଯାଇଛି । ବିଲ୍ ଉପସ୍ଥାପନ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ପିଓକେ ପାଇଁ ୨୪ ଆସନ ସଂରକ୍ଷିତ ରଖାଯାଇଛି କାରଣ ପିଓକେ ଆମର ।

ଲୋକସଭାରେ ବିଧେୟକ ଉପସ୍ଥାପନ କରି ସେ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଅମଳରେ ଯେଉଁସବୁ ଭୁଲ ହୋଇଥିଲା ତା’ର ଫଳ ଅନେକ ବର୍ଷ ପରେ ବି କାଶ୍ମୀରକୁ ଭୋଗିବାକୁ ପଡ଼ୁଛି । ପ୍ରଥମ ଓ ସବୁଠାରୁ ବଡ଼ ଭୁଲ ଥିଲା –ଯେତେବେଳେ ଆମ ସେନା ଜିତୁଥିଲା ସେତେବେଳେ ଯୁଦ୍ଧବିରାମ ଘୋଷଣା କରାଗଲା ଓ ପିଓକେର ଜନ୍ମ ହୋଇଥିଲା । ଯଦି ଯୁଦ୍ଧବିରାମ ତିନିଦିନ ପରେ ହୋଇଥାନ୍ତା ତେବେ ପିଓକେ ଭାରତର ଅଂଶ ହୋଇଥାନ୍ତା । ଦ୍ୱିତୀୟ ଭୁଲ ଥିଲା କାଶ୍ମୀର ଭଳି ଆଭ୍ୟନ୍ତରୀଣ ମାମଲାକୁ ଜାତିସଂଘକୁ ନେବା ।

ଜମ୍ମୁ-କାଶ୍ମୀର ପୁର୍ନଗଠନ ବିଲ ଉପରେ ଗୃହକୁ ଉତ୍ତର ଦେଇ ଶାହ କହିଥିଲେ ଯେ,କାଶ୍ମୀର ସମସ୍ୟାର ମୂଳ କିଏ ଥିଲେ ? ମୁଁ କେବେ ମଧ୍ୟ କହିନାହିଁ ଯେ, ନେହେରୁ କ୍ଷତିକାରକ ଥିଲେ । ମୁଁ ଏଠାକୁ ଯେଉଁ ବିଧେୟକ ଉପସ୍ଥାପନ କରିଛି ତାହା ସେହି ଲୋକଙ୍କୁ ନ୍ୟାୟ ଦେବା ଓ ସେମାନଙ୍କୁ ଅଧିକାର ଦେବା ସମ୍ବନ୍ଧରେ ଯେଉଁମାନେ ଅନ୍ୟାୟର ଶିକାର ହୋଇଛନ୍ତି,ଯେଉଁମାନେ ଅପମାନିତ ହୋଇଛନ୍ତି ଓ ଯେଉଁମାନଙ୍କୁ ଉପେକ୍ଷା କରାଯାଇଛି । ଯେକୌଣସି ସମାଜରେ ଯେଉଁମାନେ ବଂଚିତ ସେମାନଙ୍କୁ ଆଗକୁ ଆଣିବା ଉଚିତ,ଏହା ଭାରତୀୟ ସମ୍ମିଧାନର ମୁଳ ଭାବନା । ସେମାନଙ୍କୁ ଏଭଳି ଆଗକୁ ଆଣିବା ଆବଶ୍ୟକ ଯେଉଁଥିରେ ସେମାନଙ୍କ ସମ୍ମାନରେ ହାନି ହେବ ନାହିଁ । ଅଧିକାର ଦେବା ଓ ସମ୍ମାନପୂର୍ବକ ଅଧିକାର ଦେବା,ଉଭୟରେ ଢେର ଅନ୍ତର ରହିଛି । ତେଣୁ ଏହାର ନାମ ଦୁର୍ବଳ ଓ ବଂଚିତ ବର୍ଗ ବଦଳରେ ଅନ୍ୟ ପଛୁଆ ବର୍ଗ କରିବା ଆବଶ୍ୟକ ।