‘ମେ ୨ରେ ଦିଦି ଚାଲିକରି ଇସ୍ତଫା ଦେବାକୁ ଯିବେ’

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ୪ ପର୍ଯ୍ୟାୟରେ ଯେଉଁ ୧୮୦ ଆସନରେ ଭୋଟ୍ ହୋଇଥିଲା ସେଥିରୁ ୧୨୨ରେ ବିଜେପି ବିଜୟୀ ହେବ । ରବିବାର ଦିନ ଏମିତି ଦାବି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହାରିବେ । ମମତା ପାଇଁ ଦେଶର ସାଧାରଣ ନାଗରିକ ଗୁରୁତ୍ୱ ରଖନ୍ତି ନାହିଁ । ତାଙ୍କ ପାଇଁ ବେଆଇନ ଅନୁପ୍ରବେଶକାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ, ଆପଣ ଓ ମୁଁ ମମତାଙ୍କ ପାଇଁ କୌଣସି ଅର୍ଥ ରଖୁନା । ତାଙ୍କ ଭୋଟ୍ ବ୍ୟାଙ୍କ ଦୃଷ୍ଟିରୁ ଅନୁପ୍ରବେଶକାରୀ ଗୁରୁତ୍ୱପୂର୍ଣ୍ଣ ।

ନିର୍ବାଚନରେ ତୃଣମୁଳ କଂଗ୍ରେସର ପରାଜୟ ସୁନିଶ୍ଚିତ ବୋଲି କହିବାକୁ ଯାଇ ସେ କହିଛନ୍ତି ଯେ, ଦୁଇ ମେ’ ପୂର୍ବରୁ ଦିଦିଙ୍କ ପାଦ ଠିକ୍ ହୋଇଯାଇଥିବ ବୋଲି ଆଶା କରୁଛି,ଯେମିତି ସେ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ଦେବାକୁ ନିଜେ ଚାଲିକରି ଯାଇ ପାରିବେ । ଆମେ ମମତାଙ୍କ ବୋମା,ବନ୍ଧୁକ ଓ ବାରୁଦ ମଡେଲକୁ ବିଶ୍ୱାସ,ବିକାଶ ଓ ବ୍ୟବସାୟ ଦ୍ୱାରା ବଦଳାଇବାକୁ ଚାହୁଁ ।
ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ୍ କରି ସେ ଏହା ମଧ୍ୟ କହିଥିଲେ ଯେ, ଦିଦିଙ୍କ ପାଖରେ ରାଜ୍ୟର ବିକାଶ ପାଇଁ କୌଣସି ଏଜେଣ୍ଡା ନାହିଁ । ଦିଦି ୧୨ ମିନିଟ୍ ଭାଷଣ ଦିଅନ୍ତି ଓ ତାହା ମଧ୍ୟରୁ ୧୦ ମିନିଟ୍ ସେ ମୋତେ ଓ ମୋଦିଙ୍କୁ ଗାଳି ଦିଅନ୍ତି । ବାକି ଦୁଇ ମିନିଟ ସୁରକ୍ଷା ବଳକୁ ଗାଳି ଦିଅନ୍ତି ।

Leave a Reply