ଆମିର ଖାନଙ୍କ ଝିଅ ଇରାଙ୍କ ବଡ଼ ଖୁଲାସା, ୧୪ ବର୍ଷ ବୟସରେ ହୋଇଥିଲେ ଯୌନ ନିର୍ଯାତନାର ଶିକାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ ନିକଟରେ ‘ୱାର୍ଲଡ ମେଣ୍ଟାଲ ହେଲ୍ଥ ଡେ’ ରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଡିପ୍ରେସନର ଶିକାର ଥିବା କହିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ପୁଣି ଥରେ ଇରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଉ ଏକ ଭିଡିଓ ସେୟାର କରିଛନ୍ତି  । ଇରା ନିଜ ଭିଡିଓରେ କହିଛନ୍ତି ଯେ, ସେ ବୁଝିପାରୁନାହାନ୍ତି ଯେ ସେ କାହିଁକି ଡିପ୍ରେସନରେ ଅଛନ୍ତି । ନିଜ ମାଆ ବାପାଙ୍କ ଛାଡ଼ପତ୍ର କେବେ ତାଙ୍କ ଡିପ୍ରେସନର କାରଣ ନଥିଲା ବୋଲି ଇରା କହିଛନ୍ତି  । ତେବେ ସେ କାହିଁକି ଡିପ୍ରେସନରେ ଅଛନ୍ତି ତାର ଉତ୍ତର ସେ ନିଜେ ବି ଜାଣି ନାହାନ୍ତି । ଅନେକ ବର୍ଷ ହେବ ସେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି କିନ୍ତୁ କୌଣସି ଉତ୍ତର ମିଳିପାରୁ ନାହିଁ । ସେ ଭିଡିଓରେ କହିଛନ୍ତି ଯେ, ‘ ଆଜି ମୁଁ ଆପଣଙ୍କୁ ନିଜ ଜୀବନ ବିଷୟରେ କିଛି କହିବାକୁ ଯାଉଛି । ଟଙ୍କାକୁ ନେଇ ମୋ ଜୀବନରେ କେବେ ଅସୁବିଧା ଆସିନାହିଁ । ମୋ ମାଆ ବାପା ଏବଂ ମୋ ସାଙ୍ଗ ମାନେ ମତେ କେବେ କୈଣସି କଥାକୁ ନେଇ ଚାପ ପକାଇ ନାହାନ୍ତି ।

ମାଆ ବାପାଙ୍କ ଛାଡ଼ପତ୍ରକୁ ନେଇ କହିଲେ ଏମିତି…

ଭିଡିଓରେ ଇରା ନିଜ ମାଆ ବାପାଙ୍କ ଛାଡପତ୍ର କଥା ଉଠାଇ କହିଛନ୍ତି ଯେ, ‘ମୁଁ ଯେତେବେଳେ ଛୋଟ ଥିଲି ମୋ ମାଆ ବାପାଙ୍କ ଛାଡପତ୍ର ହୋଇଯାଇଥିଲା, କିନ୍ତୁ ତାକୁ ନେଇ ମୁଁ କେବେ ବିଚଳିତ ହୋଇନଥିଲି । ମୋ ମାଆ ବାପାଙ୍କ ଛାଡ଼ପତ୍ର ପରେ ମଧ୍ୟ ସେ ଦୁହେଁ ଭଲ ବନ୍ଧୁ ଅଟନ୍ତି । ୬ ବର୍ଷ ବୟସରେ ମତେ ଟିବି ହୋଇଥିଲା, କିନ୍ତୁ ଟିବି ମୋ ପାଇଁ ଏତେ ଦୁଃଖଦାୟକ ନଥିଲା ଯେ ମୁଁ ଡିପ୍ରେସ ଅନୁଭବ କରିବି । ’

୧୪ ବର୍ଷ ବୟସରେ ହୋଇଥିଲା ଯୌନ ନିର୍ଯାତନାର ଶିକାର  

ଇରା କହିଛନ୍ତି ଯେ,  ‘୧୪ ବର୍ଷ ବୟସରେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଥିଲି । ସେତେବେଳେ ମୁଁ ଜାଣିପାରୁନଥିଲି ଯେ ମୋ ସହ କଣ ହେଉଥିଲା । କିନ୍ତୁ ଜାଣିବା ପରେ ମୁଁ ସେସବୁରୁ ଦୂରକୁ ଚାଲିଗଲି । ହଁ ମତେ ଖରାପ ଲାଗିଥିଲା ଯେ ମୋ ସହିତ ମୁଁ ଏମିତି କାହିଁକି ହେବାକୁ ଦେଲି କିନ୍ତୁ ଏହା ମୋ ଜୀବନର ବଡ଼ ସଦମା ହୋଇ ରହିନାହିଁ । ମୁଁ ମୋ ଜୀବନ ସହିତ ଜଡ଼ିତ ସମସ୍ତ କଥା ମୋ ବାପା ମାଆ ଓ ସାଙ୍ଗ ମାନଙ୍କୁ ସେୟାର କରିପାରିବି, କିନ୍ତୁ ମୁଁ ତାଙ୍କୁ କହିବି କଣ ? ମୋ ଅନୁଭବ ଅନୁଯାୟୀ ମୋ ସହିତ ଏମିତି କିଛି ଖରାପ ହୋଇନାହିଁ । ଏହା ଭାବି ମୁଁ ମୋ ବାପା ମାଆ ଓ ସାଙ୍ଗ ମାନଙ୍କୁ ଏହି ବିଷୟରେ କିଛି କହୁନାହିଁ । ’

ତେବେ ଆମିର ଖାନଙ୍କ ଝିଅ ଇରା ଖାନ ଅନେକ ଥର ବିଭିନ୍ନ ଗମ୍ଭୀର କଥା ସାମ୍ନାକୁ ଆଣୁଛନ୍ତି । ଏଥର ସେ ନିଜ ଡିପ୍ରେସନର କାରଣ ଜଣାଇବାକୁ ଯାଇ ଅତି ସାହସର ସହ କଥା ସେୟାର କରିଛନ୍ତି । ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

Leave a Reply