ବିସ୍ଫୋରକ ମୋଡରେ ପଞ୍ଜାବ କଂଗ୍ରେସ ଗୃହଯୁଦ୍ଧ, କ୍ୟାପ୍ଟେନ ଦେଲେ ଧମକ

ଚଣ୍ଡିଗଡ଼: ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା ଗୃହଯୁଦ୍ଧ ଏବେ ବିସ୍ଫୋରକ ମୋଡରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ସହିତ ଦଳରୁ ଇସ୍ତଫା ଦେବା ପାଇଁ ହାଇକମାଣ୍ଡଙ୍କୁ ଧମକ ଦେଇଥିବା ଖବର ଆସୁଛି । ଶୁକ୍ରବାର ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକ ଦଳର ନୂଆ ନେତା ନିର୍ବାଚନ ପାଇଁ ହରିସ ରାୱତ ସୂଚନା ଦେଇଥିଲେ । ଯାହାକୁ ନେଇ କ୍ୟାପ୍ଟେନ କ୍ଷୁବ୍ଧ ଅଛନ୍ତି ।
ସୂଚନା ଅନୁସାରେ କ୍ୟାପ୍ଟେନ୍ ଏନେଇ ସୋନିଆ ଗାନ୍ଧିଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ଯେଉଁଭଳି ଭାବେ ତାଙ୍କୁ ନଜଣାଇ ବିଧାୟକ ଦଳର ବୈଠକ ଡକା ଗଲା ତାକୁ ନେଇ ସେ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହିତ କହିଛନ୍ତି ଯେ, ଯଦି ତାଙ୍କୁ ଏହିଭଳି ଭାବେ ଅଣଦେଖା କରାଯାଏ ତେବେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହିଁବେ ନାହିଁ ।
ସୋନିଆ ଗାନ୍ଧି ଓ କମଲନାଥଙ୍କ ସହିତ କଥା ହେବା ବେଳେ କ୍ୟାପ୍ଟେନ୍ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଯଦି ଆଜି ଦଳ ଭିତରେ ଚାଲିଥିବା ବିବାଦର ଅବସାନ ନହୁଏ ତେବେ ସେ ଇସ୍ତଫା ଦେଇଦେବେ । ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ କୁହାଯାଏ ତେବେ ସେ ଦଳରୁ ଇସ୍ତଫା ଦେବେ ବୋଲି ହାଇକମାଣ୍ଡଙ୍କୁ ସ୍ପଷ୍ଟ ଶବ୍ଦରେ କ୍ୟାପ୍ଟେନ ଚେତାବନୀ ଦେଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳର ବୈଠକ ହେବ । ଯେଉଁଥିରେ ବିଧାୟକ ନୂଆ ନେତା ବାଛିବେ । ନୂଆ ନେତା ଭାବେ ନବଜ୍ୟୋତ୍ ସିଂହ ସିଦ୍ଧୁ ଓ ସୁନୀଲ ଜାଖଡ ନିର୍ବାଚିତ ହୋଇ ପାରନ୍ତି ।
ନବଜ୍ୟୋତ୍ ସିଂହ ସିଦ୍ଧୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବା ପରଠାରୁ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ସିଦ୍ଧୁ କ୍ୟାପ୍ଟେନଙ୍କ ବିରୋଧରେ ମେଳି କରିଛନ୍ତି ।

Leave a Reply